ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ଇମ୍ରାନ ଖାଁ

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ଶିଖର ସମ୍ମିଳନୀରେ (ଏସସିଓ)ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯୋଗ ଦେବାର ସମ୍ଭାବନା କମ ବୋଲି ଜଣାପଡ଼ିଛି । ନିଜେ ଆସିବା ବଦଳରେ ସେ ନିଜର ଜଣେ ମନ୍ତ୍ରୀଙ୍କୁ ସେଠାକୁ ପଠାଇବାର ସମ୍ଭାବନା ରହିଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ଗତ କାଲି ଖବର ଆସିଥିଲା ଯେ ନୂଆଦିଲ୍ଲୀରେ ହେବାକୁ ଥିବା ସାଂଘାଇ ସହଯୋଗ ଶିଖର ସମ୍ମିଳନୀ ପାଇଁ ଭାରତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ନିମନ୍ତ୍ରଣ ପତ୍ର ପଠାଇବ ।  ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଏସସିଓର ସବୁ ୮ ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ ପଠାହେବ । କିନ୍ତୁ ଭାରତ ସହ ସଂପର୍କ ତିକ୍ତ ଥିବାରୁ ଇମ୍ରାନ ତାହାକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ବୋଲି ଜଣାପଡ଼ିଛି ।

୨୦୦୧ରେ ସ୍ଥାପିତ ଏସସିଓରେ ୮ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି । ସେଗୁଡ଼ିକ ହେଲେ ଚୀନ,ଭାରତ,ପାକିସ୍ତାନ,ଋଷିଆ,କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ । ସେହିପରି ବେଲାଋଷ, ଇରାନ, ଆଫଗାନିସ୍ତାନ ଓ ମଙ୍ଗୋଲିଆ ଏହାର ପର୍ଯ୍ୟବେକ୍ଷକ ଅଛନ୍ତି ।

ଗତବର୍ଷ ଫେବ୍ରୁଆରୀ ମାସରେ ଭାରତ ଦ୍ୱାରା ବାଲାକୋଟ ଏୟାରଷ୍ଟ୍ରାଇକ ଓ ଅଗଷ୍ଟ ୫ରେ କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ଖରାପ ହୋଇଯାଇଛି । ପାକିସ୍ତାନ ଭାରତ ସହ କୂଟନୈତିକ ସଂପର୍କକୁ ହ୍ରାସ କରିଛି ।

ସମ୍ବନ୍ଧିତ ଖବର