ମକ୍କା/ ଆବୁଧାବି/ ଇସ୍ଲାମାବାଦ: ଶିଷ୍ଟାଚାର ଓ ଶାଳୀନତାର ସମସ୍ତ ସୀମା ସରହଦ୍କୁ ଆଜି ଟପି ଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ସାଉଦି ଆରବର ରାଜା ସଲ୍ମାନ୍ ବିନ୍ ଅବ୍ଦୁଲ୍ଲାଜିଜ୍ଙ୍କୁ ସାକ୍ଷାତ କରିବା ଅବସରରେ ପ୍ରଚଳିତ ପ୍ରଟୋକଲ୍କୁ ଅବମାନନା କରି ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ କେନ୍ଦ୍ର କରି ସମଗ୍ର ମଧ୍ୟପ୍ରାଚ୍ୟ ସମେତ ପାକିସ୍ତାନରେ ତୀବ୍ର ପ୍ରତକ୍ରିୟା ସୃଷ୍ଟି ହୋଇଛି। ଅପରପକ୍ଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କର ଏହି ଅଭଦ୍ରୋଚିତ ବ୍ୟବହାରର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରୋଲ୍ ହୋଇଛି। ଏଥିରେ ଇମ୍ରାନ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ସାଉଦି ଆରବର ପବିତ୍ର ସହର ମକ୍କା ଠାରେ ଆୟୋଜିତ ହେବାକୁ ଥିବା ‘ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋ-ଅପରେସନ୍’ (ଓଆଇସି)ର ବୈଠକ ପୂର୍ବରୁ ମକ୍କା ଠାରେ ସାଉଦି ଆରବର ରାଜା ସଲ୍ମାନ୍ ବିନ୍ ଅବ୍ଦୁଲ୍ଲାଜିଜ୍ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକର ଆୟୋଜନ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ଜଣେ ନିମନ୍ତ୍ରିତ ଅତିଥି ଭାବେ ବୈଠକରେ ଯୋଗ ଦେବାକୁ ଆସିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।
ବୈଠକରେ ଯୋଗ ଦେବାକୁ ଯାଇଥିବା ସମୟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କୁ ସ୍ୱାଗତ କରିଥିଲେ ସାଉଦି ଆରବର ରାଜା ସଲ୍ମାନ୍ ବିନ୍ ଅବ୍ଦୁଲ୍ଲାଜିଜ୍। ହେଲେ, ଇମ୍ରାନ୍ ସେଠାରେ କୂଟନୈତିକ ‘ପ୍ରଟୋକଲ୍’କୁ ଅବମାନନା କରି ସର୍ବ ସମ୍ମୁଖରେ ଅସମ୍ମାନ ଓ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିଥିଲେ। ମଧ୍ୟପ୍ରାଚ୍ୟର ସର୍ବମାନ୍ୟ ରାଜା ସଲ୍ମାନ୍ଙ୍କ ସହ ସିଧାସଳଖ କଥା ନହୋଇ ତାଙ୍କୁ ଆଙ୍ଗୁଠି ଦେଖାଇ ତାଙ୍କ ‘ଇଣ୍ଟରପ୍ରିଟର’ଙ୍କ ସହ କଥା ହୋଇଥିଲେ ଇମ୍ରାନ। ଏପରିକି ନିଜର ବକ୍ତବ୍ୟ ବା କଥା ଶେଷ ପୂର୍ବରୁ ଏବଂ ଇଣ୍ଟରପ୍ରିଟର ତାଙ୍କ କଥାକୁ ଅନୁବାଦ କରି ରାଜାଙ୍କୁ ଶୁଣାଉଥିବା ବେଳେ ଇମ୍ରାନ୍ ରାଜାଙ୍କ ଠାରୁ ଆନୁଷ୍ଠାନିକ ବିଦାୟ ନ ନେଇ କଥା ହେଉଥିବା ଅବସ୍ଥାରେ ତାଙ୍କୁ ଆଙ୍ଗଠି ଦେଖାଇ ପଛକୁ ବୁଲି ସେଠାରୁ ଚାଲି ଯାଇଥିଲେ। ଇମ୍ରାନ୍ଙ୍କ ଏ ପ୍ରକାର ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ ମାମଲାରେ ପାକିସ୍ତାନକୁ ନିଜର ତୀବ୍ର ଅସନ୍ତୋଷ ଜଣାଇ ଦେଇଛି ସାଉଦି ଆରବ। ସାଉଦି ରାଜା ସଲ୍ମାନ୍ ପାକ୍ ପ୍ରଧାନମନ୍ତ୍ରୀଙ୍କ ସହ କରିବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନା ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ରଦ୍ଦ କରି ଦେଇଛନ୍ତି।