ପାକିସ୍ତାନର ମୁଖା ‌ଖୋଲିଲେ ଇମ୍ରାନ୍‌, ଅଲ୍‌ କାଏଦାକୁ ପାକ୍‌ ସେନା, ଆଇଏସ୍‌ଆଇ ତାଲିମ ଦେଇଥିଲା

ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆତଙ୍କବାଦକୁ ନେଇ ଏକ ବଡ଼ ତଥ୍ୟ ସାର୍ବଜନୀନ କରିଛନ୍ତି। ଆମେରିକା ଗସ୍ତରେ ଥିବା ଇମ୍ରାନ ଆମେରିକା ଥିଙ୍କ୍‌ ଟ୍ୟାଙ୍କ୍‌ ସହିତ କଥାବାର୍ତ୍ତା ବେଳେ କହିଛନ୍ତି ଯେ ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦାକୁ ତାଲିମ ଦେଇଥିଲା। ଏହି ତାଲିମ ପ୍ରକ୍ରିୟା ପାକିସ୍ତାନରେ ହିଁ ସଂପୂର୍ଣ୍ଣ ହୋଇଥିଲା ବୋଲି ସେ କହିଛନ୍ତି। ଆତଙ୍କବାଦକୁ ନେଇ ଇମ୍ରାନଙ୍କ ଏଭଳି ସ୍ବୀକାରୋକ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପାକ୍‌ ସେନା ଏବଂ ଆଇଏସ୍‌ଆଇର ମୁଖା ଖୋଲି ଦେଇ ଇମ୍ରାନ କହିଛନ୍ତି, ଓସାମା ବିନ୍‌ ଲାଦେନର ନେତୃତ୍ବରେ ଥିବା ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦ ୯/୧୧ ଭଳି ଭୟାନକ ଆକ୍ରମଣ କରିବା ପୂର୍ବରୁ ଏହି ସଂଗଠନକୁ ଆମ ସେନା ଓ ଗୁଇନ୍ଦା ସଂସ୍ଥା ତାଲିମ ପ୍ରଦାନ କରିଥିଲା। ସୋଭିଏତ ୟୁନିୟନ୍‌ ବିରୋଧରେ ଜିହାଦ୍‌ ପାଇଁ ଆଇଏସ୍‌ଆଇ ବିଶ୍ବର ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ତାଲିମ ଦେଇଥିଲା। ପରବର୍ତ୍ତୀ ସମୟରେ ଏହା ବୈଶ୍ବିକ ଆତଙ୍କବାଦର ରୂପ ନେଇଥିଲା। ଆମେରିକାନ୍‌ ଥିଙ୍କ୍‌ ଟ୍ୟାଙ୍କ୍‌ କାଉନ୍‌ସିଲ ଅନ୍‌ ଫରେନ୍‌ ରିଲେସନ୍‌ସ (ସିଏଫ୍‌ଆର)ରେ ଇମ୍ରାନ କହିଛନ୍ତି, ୧୧ ସେପ୍‌ଟେମ୍ବର, ୨୦୦୧ରେ ଆମେରିକାର ୱାର୍ଲ‌୍ଡ ଟ୍ରେଡ୍‌ ସେଣ୍ଟର ଉପରେ ଆକ୍ରମଣ ପୂର୍ବରୁ ଅଲ୍‌ କାଏଦାକୁ ନେଇ ସ୍ଥିତି ଭିନ୍ନ ଥିଲା। ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇ ଏହି ସଂଗଠନକୁ ତାଲିମ ଦେଇ ଶକ୍ତିଶାଳୀ କରିଥିଲା। ୯/୧୧ ପରେ ଆମେରିକା ସମେତ ପୂରା ବିଶ୍ବର ଆଭିମୁଖ୍ୟ ଆତଙ୍କବାଦକୁ ନେଇ ବଦଳିଗଲା, କିନ୍ତୁ ପାକିସ୍ତାନ ସେନାର କିଛି ଅଧିକାରୀ ବଦଳିବାକୁ ଚାହିଁନଥିଲେ ବୋଲି ଇମ୍ରାନ କହିଛନ୍ତି।

ଇମ୍ରାନ୍‌ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ଆତଙ୍କବାଦୀ ଓସାମା ବିନ୍‌ ଲାଦେନ ଏବୋଟାବାଦରେ ରହିଥିବା ସଂପର୍କରେ ଆଇଏସ୍‌ଆଇ ଜାଣିଥିଲା। କିନ୍ତୁ ପୂର୍ବରୁ ଅଲ୍‌ କାଏଦାକୁ ପାକ୍‌ ସେନା ସମସ୍ତ ତାଲିମ ପ୍ରଦାନ କରିଥିବାରୁ ଏ ଦିଗରେ ଏହାର ନୀତି ଭିନ୍ନ ଥିଲା ଏବଂ ଅଲ୍‌ କାଏଦା ସହ ଏହା ଲଗାତାର ସଂପର୍କରେ ଥିଲା ବୋଲି ଇମ୍ରାନ କହିଛନ୍ତି। ପାକିସ୍ତାନ ସେନାର ଅ‌ନେକ ବରିଷ୍ଠ ଅଧିକାରୀ ଆତଙ୍କବାଦ ବିରୋଧରେ ବିଶ୍ବର ନୂଆ ଆଭିମୁଖ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇନଥିଲେଏବଂ ଏଥିପାଇଁ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟରେ ଘୋର ଅଡ଼ୁଆର ସମ୍ମୁଖୀନ ହୋଇଥିଲା ବୋଲି ଇମ୍ରାନ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଉଲ୍ଲେଖ କରି ଇମ୍ରାନ୍‌ କହିଥିଲେ ବିଶ୍ବ ନେତାମାନେ ଏହା ଜାଣିପାରୁ ନାହାନ୍ତି ଯେ ପାକିସ୍ତାନକୁ ଆତଙ୍କବାଦ କେଉଁଠୁ ଆସିଲା। ୧୯୮୦ରେ ଆମେରିକା ସହାୟତାରେ ସୋଭିଏତ ସଂଘ ବିରୋଧରେ ଚାଲିଥିବା ଜିହାଦ୍‌ ହିଁ ପରବର୍ତ୍ତୀ ସମୟରେ ଅନେକ ଆତଙ୍କବାଦୀ ସଂଗଠନକୁ ଜନ୍ମ ଦେଇଥିଲା। ତେବେ ୯/୧୧ ପରେ ଆମେରିକା ସହିତ ଏହା ଲଢ଼େଇରେ ସାମିଲ ହେବା ପାକିସ୍ତାନର ସବୁଠାରୁ ବଡ଼ ଭୁଲ୍‌ ଥିଲା ଏବଂ ଏଥିପାଇଁ ପାକିସ୍ତାନକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି ବୋଲି ଇମ୍ରାନ କହିଛନ୍ତି।

ସମ୍ବନ୍ଧିତ ଖବର