ମିସାଇଲ୍ ପଡ଼ିବା ପ୍ରସଙ୍ଗରେ ବିରୋଧୀଙ୍କୁ ପାଲଟା ଆକ୍ରମଣ କଲେ ଇମ୍ରାନ

ଇସଲାମାବାଦ: ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେ‌ାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବିରୋଧୀମାନଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ବିରୋଧୀ ଦଳର ତିନିଜଣ ନେତାଙ୍କୁ ଗାଳି ଦେବାକୁ ଯାଇ ଚୋର, ଡକାୟତ ଭଳି ଶବ୍ଦ ବ୍ୟବହାର କରିବାକୁ ବି ପଛାଇ ନାହାନ୍ତି। ଇମ୍ରାନ କହିଛନ୍ତି ଏହି ତିନି ୱିକେଟ୍‌କୁ ସେ ଗୋଟିଏ ଇନ୍‌ସ୍ବିଙ୍ଗ୍ ୟର୍କର ମାଧ୍ୟମରେ ନେଇଯିବେ। ଖାଇବର ପାଖତୁନଖ୍ବାଠାରେ ଏକ ଜନସମାବେଶକୁ ଉଦ୍‌ବୋଧନ ଦେବାବେଳେ ଭାରତର ଏକ ଆକସ୍ମିକ ମିସାଇଲ ପାକିସ୍ତାନରେ ପଡ଼ିବା ନେଇ ଇମ୍ରାନ୍ କହିଛନ୍ତି ଯେ, ଯେତେବେଳେ ନୱାଜ ଶରିଫ କ୍ଷମତାରେ ଥିଲେ ଭାରତର ପ୍ରଧାନମନ୍ତ୍ରୀ ପାକିସ୍ତାନୀ ସେନାକୁ ଆତଙ୍କବାଦୀ ବୋଲି କହୁଥିଲେ। ସେତେବେଳେ ଶରିଫ ତାଙ୍କ ବିରୋଧରେ ପଦୁଟିଏ କହି ନ ଥିଲେ। ଇମ୍ରାନ୍ କହିଲେ ଯେ, ସେ ସବୁବେଳେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରାର୍ଥନା କରିଆସୁଥିଲେ, ଯାହାଦ୍ବାରା ଗୋଟିଏ ବଲ୍‌ରେ ତିନିଟା ୱିକେଟ୍‌ ପଡ଼ିଯାଇଥାନ୍ତା। ସେ ତିନିଜଣ ହେଉଛନ୍ତି ପିଏମ୍‌ଏଲ୍‌-ଏନ୍ ସଭାପତି ଶେହବାଜ ଶାରି, ପିପିପି ସହାଧ୍ୟକ୍ଷ ଆସିଫ ଅଲି ଜର୍ଦ୍ଦାରୀ ଓ ଜମାଏତ ଉଲେମା-ଆଇ-ଇସଲାମ-ଫଜଲ ମୁଖ୍ୟ ମୌଲାନା ଫଜଲୁର ରହମାନ। ମୁଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ବନ୍ଦ ନ କଲେ ମୋ ସରକାରକୁ ଭାଙ୍ଗିଦେବେ ବୋଲି ଧମକାଇଛନ୍ତି। କିନ୍ତୁ ମୋ ଜୀବନ ଗଲେ ବି ମୁଁ ‌ଦୁର୍ନୀତି ମାମଲା ବନ୍ଦ କରିବି ନାହିଁ ବୋଲି ଇମ୍ରାନ କହିଛନ୍ତି।

ସମ୍ବନ୍ଧିତ ଖବର