ଇସଲାମାବାଦ: ବର୍ତ୍ତମାନ ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଜି ପାକ୍‌ ସେନାମୁଖ୍ୟ ତଥା  ଫିଲ୍ଡ ମାର୍ଶଲ ଆସୀମ ମୁନିରଙ୍କୁ ପାକିସ୍ତାନର ଇତିହାସରେ ‘ସବୁଠାରୁ ଦମନକାରୀ ଶାସକ’ ଓ ‘ମାନସିକ ଭାବେ ଅସ୍ଥିର’ ବ୍ୟକ୍ତି  ବୋଲି  କହି କଠୋର ସମାଲୋଚନା କରିଛନ୍ତି। ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ପୋଷ୍ଟ କରାଯାଇଥିବା ଏକ ବିବୃତିରେ ଖାନ୍‌ ଅଭିଯୋଗ କରିଛନ୍ତି ଯେ, ମୁନିରଙ୍କ ଶାସନରେ ‘ଅଭୂତପୂର୍ବ ଦମନ’ ଚାଲିଛି ଏବଂ ସେ କ୍ଷମତା ପାଇଁ ସବୁକିଛି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଛନ୍ତି।

Advertisment

୨୦୨୩ ଅଗଷ୍ଟରୁ ବିଭିନ୍ନ ମାମଲାରେ ବନ୍ଦୀ ଥିବା ଇମ୍ରାନ ଦାବି କରିଛନ୍ତି ଯେ, ମେ ୯ରେ  ତାଙ୍କ ଗିରଫ ପରେ ହୋଇଥିବା ଦଙ୍ଗା, ନଭେମ୍ବର ୨୬ରେ ଇସଲାମାବାଦରେ  ହୋଇଥିବା ସଂଘର୍ଷ ଏବଂ ମୁରିଦକେ ଘଟଣାରେ  ନିରସ୍ତ୍ର ନାଗରିକଙ୍କ ଉପରେ  ଆଖବୁଜା ଗୁଳିଚାଳନା ହୋଇଛି। ସେ ମହିଳାଙ୍କ ଉପରେ ଅତ୍ୟାଚାରକୁ ନିନ୍ଦା କରିଛନ୍ତି ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଏକାକୀ ବନ୍ଦୀ ରଖାଯାଇଥିବା ଅଭିଯୋଗ କରିଛନ୍ତି। ଇମ୍ରାନ କହିଛନ୍ତି, ‘ମୁଁ ମୃତ୍ୟୁକୁ ଗ୍ରହଣ କରିବି, କିନ୍ତୁ ଦାସତ୍ୱ ନୁହେ।’
ସେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସରକାରକୁ ମୁନିରଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା ଏକ ପଙ୍ଗୁ ସରକାର ବୋଲି କହି ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସମସ୍ତ କ୍ଷମତା ମୁନିରଙ୍କ ହାତରେ ଥିବା ବେଳେ ଏବେ ସରକାରର ଅସ୍ତିତ୍ବ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଇମ୍ରାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଦଳ    ଆଗକୁ ବଡ଼ ଆନ୍ଦୋଳନ ପାଇଁ ସଜବାଜ ହେଉଛି।