ଅନ୍ୟମାନେ ବଏକଟ କରନ୍ତୁ, ଇମ୍ରାନ ଖାଁ କିନ୍ତୁ ବେଜିଂ ଶୀତକାଳୀନ ଅଲିମ୍ପିକ୍ସରେ ଯୋଗ ଦେବେ

ଇସଲାମାବାଦ :  ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ବିଶ୍ବର ବିଭିନ୍ନ ଦେଶ କୂଟନୈତିକ ବହିଷ୍କାର କରୁଥିବାରୁ ତାହା ଚୀନ ପାଇଁ ବେଶ ଅପମାନଜନକ ହେବାର ସମ୍ଭାବନା ରହିଛି । କିନ୍ତୁ ଏପରିସ୍ଥିତିରେ ଚୀନ ପଛରେ ଛିଡ଼ା ହୋଇଛି  ଘନିଷ୍ଠ ବନ୍ଧୁ ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଯୋଗ ଦେବେ । ଏଥିପାଇଁ ସେ ଗୁରୁବାର ବେଜିଂ ଯାତ୍ରା କରିଛନ୍ତି । ତାଙ୍କ ସହିତ ଏକ ପାକିସ୍ତାନର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ବେଜିଂ ଗସ୍ତ କରିଛନ୍ତି । ଏହି ପ୍ରତିନିଧିମଣ୍ଡଳରେ ପାକିସ୍ତାନର କେତେକ କ୍ୟାବିନେଟ ମନ୍ତ୍ରୀ ବି ଅଛନ୍ତି । ଏହି ଗସ୍ତ ସମୟରେ ଇମ୍ରାନ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ବିଶ୍ବର କେତେକ ପ୍ରମୁଖ ଦେଶ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର କୂଟନୈତିକ ବହିଷ୍କାର କରୁଛନ୍ତି । ଏସବୁ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ଜାପାନ, ନେଦରଲାଣ୍ଡସ,ଡେନମାର୍କ ଇତ୍ୟାଦି । ଚୀନରେ ଉଇଘୁର ମୁସଲମାନଙ୍କ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ଏପରି ବହିଷ୍କାର କରାଯାଉଛି । ଭାରତ ପୂର୍ବରୁ କୂଟନୈତିକ ବହିଷ୍କାର କରିନଥିଲେ ବି ଏବେ ବହିଷ୍କାର କରିବାକୁ ଘୋଷଣା କରିଛି । ଗଲଓ୍ବାନ ସଂଘର୍ଷରେ ଭାଗ ନେଇଥିବା ଚୀନ ସୈନ୍ୟଙ୍କୁ ଅଲିମ୍ପିକ୍ସ ମସାଲ ଧରାଯିବା ପ୍ରତିବାଦରେ ଭାରତ ଏପରି ପଦକ୍ଷେପ ନେଇଛି ।

 

ସମ୍ବନ୍ଧିତ ଖବର