ପାକ୍‌ ସେନାକୁ ଦରକାର ଜଣେ ବୁଟ୍‌ ପଲିସ୍‌କାରୀ

ଇମ୍ରାନ୍‌ଙ୍କୁ ପୂର୍ବ ପତ୍ନୀ ରେହମ୍‌ଙ୍କ ତାଚ୍ଛଲ୍ୟ

ଇସ୍‌ଲାମାବାଦ: ପାକିସ୍ତାନରେ ସରକାର ଗଢ଼ିବା ଲାଗି ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଇମ୍ରାନ୍‌ଙ୍କ ପୂର୍ବ ପତ୍ନୀ ରେହମ୍‌ ଖାନ୍‌ ଆଜି ଆଶ୍ଚର୍ଯ୍ୟଜନକ ଭାବେ କିଛି ସତର୍କବାଣୀ କରିଛନ୍ତି ଏବଂ ଇମ୍ରାନଙ୍କୁ ତାଚ୍ଛଲ୍ୟ କରିଛନ୍ତି। ପୂର୍ବ ସ୍ୱାମୀଙ୍କୁ ତାଚ୍ଛଲ୍ୟ କରି ରେହମ୍‌ କହିଛନ୍ତି, ପାକ୍‌ ସେନା ପାଇଁ ଜଣେ ନିୟମିତ ବୁଟ୍‌ ପଲିସ୍‌କାରୀ ଦରକାର। ଏଥିପାଇଁ ସେମାନେ ପିଟିଆଇକୁ ସବୁପ୍ରକାର ସମର୍ଥନ ଯୋଗାଇ ଆସୁଛନ୍ତି। କିନ୍ତୁ ପାକ୍‌ ସେନାର ଏହି ଅଯାଚିତ ଅନୁକମ୍ପା ବେଶି ଦିନ ରହିବ ନାହିଁ। ସରକାର ଗଢ଼ିବା ପରେ ସେନା ପିଟିଆଇ ମାଧ୍ୟମରେ ମନମୁଖି କାର୍ଯ୍ୟ ଜାରି ରଖିବ। ବ୍ରିଟେନ୍‌ରେ ଜଣେ ବ୍ରଡ୍‌କାଷ୍ଟ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା ରେହମ୍‌ ଏକ ସାକ୍ଷାତକାରରେ କହିଛନ୍ତି, ଇମ୍ରାନ୍‌ଙ୍କ ସଫଳତାକୁ ନେଇ ସେ ଆଦୌ ବିବ୍ରତ ନାହାନ୍ତି କି ତାଙ୍କର କୌଣସି ପ୍ରତିଶୋଧ ମନୋବୃତ୍ତି ନାହିଁ। କାରଣ ପାକ୍‌ ନିର୍ବାଚନରେ ଇମ୍ରାନ୍‌ ବିଜୟଲାଭ କରିନାହାନ୍ତି। ପ୍ରକୃତରେ ସେନାର ବିଜୟ ହୋଇଛି। ଇମ୍ରାନ୍‌ ଏ କ୍ଷେତ୍ରରେ ଜଣେ ନିର୍ଦ୍ଦେଶକଙ୍କ ଅଭିନେତା ଭାବେ ଭୂମିକା ନିର୍ବାହ କରୁଛନ୍ତି। ଏଠି ନିର୍ଦ୍ଦେଶକ ହେଉଛି ପାକ୍‌ ସେନା। ଅନ୍ୟପକ୍ଷରେ ଇମ୍ରାନ୍‌ ମଧ୍ୟ ଏହା ଜାଣିଶୁଣି କରୁଛନ୍ତି। ତେଣୁ ଭବିଷ୍ୟତରେ ସେ ପାକିସ୍ତାନର ନାଗରିକମାନଙ୍କ ପାଇଁ ଜଣେ ରୋଲ୍‌ ମଡେଲ୍‌ ହୋଇପାରିବେ ନାହିଁ। ରେହମ୍‌ଙ୍କ ନୂଆ ପୁସ୍ତକ ଉପରେ ଉଠୁଥିବା ପ୍ରଶ୍ନର ଜବାବ ଦେଇ ସେ କହିଛନ୍ତି ଯେ କାହା ଉପରେ ରାଗ ରଖି ଏହାକୁ ଲେଖିନାହାନ୍ତି। ବରଂ ବାସ୍ତବରେ ସେ ଯେଉଁ ପରିସ୍ଥିତିର ସାମ୍ନା କରିଛନ୍ତି, ତାହା ପୁସ୍ତକରେ ପ୍ରତିଫଳିତ ହୋଇଛି। ମୋ ପୁସ୍ତକ ପଢ଼ିବା ପରେ ଲୋକମାନେ ମୋର ଉଦ୍ଦେଶ୍ୟ ବିଷୟରେ ଜାଣିପାରିବେ। ମୋ ଭଳି ଅନେକ ମହିଳା ଆକସ୍ମିକ ଭାବେ ଏମିତି ପୁରୁଷଙ୍କ ହାବୁଡ଼ରେ ପଡ଼ନ୍ତି, ଯେଉଁମାନେ ପରମୁହୂର୍ତ୍ତରେ ସବୁକିଛି ଛାରଖାର କରିଦେଇଥାନ୍ତି। ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ତାଙ୍କ (ଇମ୍ରାନ୍‌) ଦୋଷତ୍ରୁଟିକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିଛି। ନିକଟରେ ବଲିଉଡ୍‌ ଚଳଚ୍ଚିତ୍ର ‘ସଞ୍ଜୁ’ ଦେଖିବା ପରେ ମୁଁ କାନ୍ଦିପକାଇଥିଲି। ଚଳଚ୍ଚିତ୍ରର ବାଥ୍‌ରୁମ୍‌ ଦୃଶ୍ୟ ମୋତେ ଇମ୍ରାନ୍‌ଙ୍କ କଥା ମନେପକାଇ ଦେଲା। ଇମ୍ରାନ୍‌ଙ୍କ ସମ୍ପର୍କରେ ସେ କହିଛନ୍ତି, ଇମ୍ରାନ୍‌ ନିଜକୁ ଜଣେ ସେଲିବ୍ରିଟି ବୋଲି ଭାବନ୍ତି। ସେ ଚାହାନ୍ତି ଯେ ମୁଁ ତାଙ୍କୁ ଭଗବାନଙ୍କ ଭଳି ପୂଜା କରେ। ଏମିତି କି ସେ ନିଜକୁ ସୁଲେମାନ୍‌ ବୋଲି କହିଥାନ୍ତି। କିନ୍ତୁ ମୁଁ ଜଣେ ବାସ୍ତବବାଦୀ। ଅନ୍ୟପକ୍ଷରେ ପିଟିଆଇକୁ ସମାଲୋଚନା କରି ସେ କହିଛନ୍ତି, ଦଳ ମଧ୍ୟରେ ଯୌନ ଓ ଆର୍ଥିକ ଦିଗକୁ ଦୃଷ୍ଟିରେ ରଖି ବ୍ୟବସାୟ କରାଯାଉଛି, ଯାହା କି ଏକ ବଡ଼ ସମସ୍ୟା। ତା’ଛଡ଼ା ପୁଞ୍ଜିବାଦୀଙ୍କୁ ଦଳରେ ଅଯଥା ପ୍ରୋତ୍ସାହିତ କରାଯାଉଛି ଏବଂ ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ ଦଳରେ ସ୍ଥାନ ଦିଆଯାଉଛି। ସେନାର ପ୍ରରୋଚନାରେ ଏଭଳି କାର୍ଯ୍ୟ କରାଯାଉଛି। କିନ୍ତୁ ସେନାର ଏଭଳି ଅନୁକମ୍ପା ଅଧିକ ଦିନ ରହିବ ନାହିଁ ବୋଲି ରେହମ୍‌ ଦୋହରାଇଛନ୍ତି।

ସମ୍ବନ୍ଧିତ ଖବର