ପାକିସ୍ତାନ : ପଞ୍ଜାବ ବିଧାନସଭା ଉପ-ନିର୍ବାଚନରେ ଇମ୍ରାନ ଖାଁଙ୍କ ବିପୁଳ ବିଜୟ

ଇସଲାମାବାଦ :  କ୍ଷମତାରୁ ବିତାଡ଼ିତ ହେବା ପରେ ବି ନିଜର ଲୋକପ୍ରିୟତା ହରାଇନାହାନ୍ତି ଇମ୍ରାନ ଖାଁ । ପାକିସ୍ତାନୀ ଲୋକମାନେ ଏବେ ବି ଯେ ତାଙ୍କ ଉପରେ ଭରସା କରନ୍ତି ତାହା ସେ ନିକଟରେ ଅନୁଷ୍ଠିତ ଏକ ଉପନିର୍ବାଚନରେ ପ୍ରମାଣିତ କରିଦେଇଛନ୍ତି ।

ପାକିସ୍ତାନର ସବୁଠାରୁ ଜନବହୁଳ ରାଜ୍ୟ ତଥା ରାଜନୈତିକ ଦୃଷ୍ଟିକୋଣରୁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ପଞ୍ଜାବର ୨୦ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ସେଥିରୁ ୧୫ଟିରେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ୍  (ପିଟିଆଇ) ବିଜୟ ହାସଲ କରିଛି । ଏହା ସହ ପଂଜାବ ବିଧାନସଭାରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ପିଟିଆଇ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପଞ୍ଜାବ ପାକିସ୍ତାନରେ ଶାସନ କରୁଥିବା ପାକିସ୍ତାନ ମୁସଲିମ ଲିଗ-(ଏନ)ର ଦୁର୍ଗଭାବେ ଜଣାଶୁଣା ।

ଏହି ବିଜୟ ହାସଲ ପରେ ଇମ୍ରାନ ଖାଁ ସମଗ୍ର ଦେଶରେ ତୁରନ୍ତ ସାଧାରଣ ନିର୍ବାଚନ କରିବାକୁ ଦାବି କରିଛନ୍ତି ।

ପଞ୍ଜାବ ନିର୍ବାଚନର ଫଳାଫଳ ସମଗ୍ର ପାକିସ୍ତାନର ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଗତ ଏପ୍ରିଲ ମାସରେ ଅନାସ୍ଥା ପ୍ରସ୍ତାବରେ ହାରି ଇମ୍ରାନ ଖାଁ ସରକାରଙ୍କ ପତନ ହୋଇଥିଲା । ସେହିଦିନଠାରୁ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ତୁରନ୍ତ ସାଧାରଣ ନିର୍ବାଚନ କରିବାକୁ ଇମ୍ରାନ ଦାବି କରୁଛନ୍ତି । ପାକିସ୍ତାନ ସମ୍ବିଧାନ ଅନୁସାରେ ଆସନ୍ତା ବର୍ଷ ଅକ୍ଟୋବର ପୂର୍ବରୁ ନିର୍ବାଚନ କରାଯିବାକୁ ବାଧ୍ୟ ।

 

ସମ୍ବନ୍ଧିତ ଖବର