ଇସଲାମାବାଦ ରାଲିରେ ଇମ୍ରାନଙ୍କ ଶକ୍ତି ପ୍ରଦର୍ଶନ: ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ପ୍ରତ୍ୟାହାର କଲା ଜେଡବ୍ଲ୍ୟୁପି

ଇସ୍ତଫା ଦେଲେ କ୍ୟାବିନେଟ୍ ମନ୍ତ୍ରୀ ବୁଗ୍‌ତି

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି। ବିରୋଧୀମାନେ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହାକୁ ଇମ୍ରାନ ସରକାରଙ୍କ ୩ ସହଯୋଗୀ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଏଭଳି ସ୍ଥିତିରେ ଇମ୍ରାନ ଖାନ୍ ଆଜି ଇସଲାମାବାଦରେ ଏକ ବିଶାଳ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଲିରେ କୌଣସି ଘରୋଇ ଗଣମାଧ୍ୟମ ସଂସ୍ଥାର କ୍ୟାମେରା ବ୍ୟବହାରକୁ ଅନୁମତି ଦିଆଯାଇ ନାହିଁ। ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି କଟକଣା ଲଗାଯାଇଛି। ଫୁଟେଜ୍ ଏବଂ ଫଟୋ ପାଇଁ ସେମାନଙ୍କୁ କେବଳ ମୋବାଇଲ କ୍ୟାମେରା ବ୍ୟବହାର ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ପିପିପି ନେତା ବିଲାୱାଲ ଭୁଟ୍ଟୋ ମଧ୍ୟ ଆଜି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଦେଶ ଆଜି ଦୋଛକିରେ ରହିଛି। ପ୍ରଧାନମନ୍ତ୍ରୀ ଦେଶର ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛନ୍ତି। ବାଲୁଚିସ୍ତାନ୍ତବାସୀଙ୍କ ଭାବାବେଗକୁ ଅଣଦେଖା କରାଯାଇଛି ବୋଲି ଭୁ‌ଟ୍ଟୋ କହିଛନ୍ତି। ଅନ୍ୟପକ୍ଷରେ ଇମ୍ରାନଙ୍କ ସମର୍ଥକମାନେ ବହୁସଂଖ୍ୟାରେ ଇସଲାମାବାଦ ରାଲିକୁ ଆସିଛନ୍ତି। ରାଲିରେ ପିଟିଆଇ ନେତାମାନେ ବିରୋଧୀ ଦଳଗୁଡ଼ିକୁ ତିନିଟି ମୂଷା ସହିତ ତୁଳନା କରିଛନ୍ତି।

ଅନ୍ୟପକ୍ଷରେ ଇମ୍ରାନଙ୍କୁ ଆଜି ଆଉ ଏକ ଧକ୍କା ଲାଗିଛି। ଇମ୍ରାନ ଇସଲାମାବାଦରେ ଶକ୍ତି ପ୍ରଦର୍ଶନ କରିବାର ଅଳ୍ପ କିଛି ଘଣ୍ଟା ପୂର୍ବରୁ ଜମ୍‌ହୁରି ୱତନ ପାର୍ଟି (ଜେଡବ୍ଲ୍ୟୁପି) ‌ମୁଖ୍ୟ ଶାହଜେନ୍ ବୁଗ୍‌ତି ତାଙ୍କ ଦଳ ସରକାରଙ୍କୁ ବାହାରି ଆସିବା ବିଷୟ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅନସ୍ଥା ଭୋଟ ସପକ୍ଷରେ ତାଙ୍କ ଦଳ ଭୋଟ ଦେବ ବୋଲି ସେ ଘୋଷଣା କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରିଙ୍କୁ ଭେଟିବା ପରେ ବାଲୁଚିସ୍ତାନ ସଂହତି ବ୍ୟାପାରରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ପଦରୁ ବୁଗ୍‌ତି ଇସ୍ତଫା ଦେଇଛନ୍ତି। ତେବେ ଚଳିତମାସ ୮ ତାରିଖରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅର୍ଥନୀତି ପରିଚାଳନା ଏବଂ ଦରଦାମ ନିୟନ୍ତ୍ରଣରେ ବିଫଳତା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ଇମ୍ରାନ ସରକାରଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ତାହାର ସାମ୍ନା ଇମ୍ରାନ ଆସନ୍ତାକାଲି କରିପାରନ୍ତି। ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୩ /୪ ତାରିଖରେ ଭୋଟ ହେବା ସମ୍ଭାବନା ରହିଛି। ତେବେ ଇମ୍ରାନଙ୍କ ସପକ୍ଷରେ ବହୁମତ ରହିଥିବା ପ୍ରମାଣ କରିବାକୁ ହେଲେ ତାଙ୍କ ସପ‌କ୍ଷରେ ୧୭୨ ସାଂସଦଙ୍କର ସମର୍ଥନ ଜରୁରୀ। କାରଣ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ମୋଟ ସଦସ୍ୟ ସଂଖ୍ୟା ୩୪୨ ରହିଛି। ‌ପିଟିଆଇ ମେଣ୍ଟର ସଦସ୍ୟ ସଂଖ୍ୟା ୧୭୯ ରହିଛି। ଏଥିରେ ପିଟିଆଇର ସଦସ୍ୟ ସଂଖ୍ୟା ୧୫୫।

ସମ୍ବନ୍ଧିତ ଖବର