୧୦ଦିନ ମଧ୍ୟରେ ମହାରାଷ୍ଟ୍ରରେ ସରକାର ବଦଳାଇଦେଲା ବିଜେପି, ବାଜି ଜିତିଲେ ସିନ୍ଦେ; ଜାଣନ୍ତୁ ପୂରା ଘଟଣାକ୍ରମ

ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ଧରି ଚାଲିଥିବା ରାଜନୈତିକ ହଟଚମଟର ଏବେ ଅନ୍ତ ଘଟିଛି। ଠାକରେ ସରକାରଙ୍କ ପତନ ଘଟିବା ସହ ଆଜି ରାଜ୍ୟରେ ନୂଆ ସରକାର ଗଠନ ହୋଇଛି।  ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବୀସ୍ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତେବେ ଶିବସେନା ନେତା ଏକନାଥ ସିନ୍ଦେ ଦଳର ପ୍ରାୟ ୪୦ ଜଣ ବିଧାୟକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରଠାରୁ ମହାରାଷ୍ଟ୍ରରେ ମହାସଙ୍କଟ ଆରମ୍ଭ ହୋଇଯାଇଥିଲା। ଉଦ୍ଧବ ଠାକରେ ସ୍ବାଭାବିକ ସହଯୋଗୀ ବିଜେପିକୁ ଛାଡ଼ି ଦଳର ଭିନ୍ନ ବିଚାରଧାରାର ଦଳ କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ କରିବାକୁ ନେଇ ଅର୍ଦ୍ଧାଧିକ ଶିବସେନା ନେତା ଅସନ୍ତୁଷ୍ଟ ଥିଲେ। ସେମାନଙ୍କର ଅସନ୍ତୋଷ ସିନ୍ଦେଙ୍କ ବିସ୍ଫୋରକ ରୂପ ନେଇଥିଲା ଏବଂ ଏହାର ପରିଣାମ ସ୍ବରୂପ ଏବେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ତେବେ କେବେ ମହରାଷ୍ଟ୍ରରେ ରାଜନୈତିକ ସଂକଟ ଆରମ୍ଭ ହେଲା ଏବଂ କ’ଣ ’ଣ ସବୁ ଘଟିଥିଲା, ଆସନ୍ତୁ ନଜର ପକାଇବା…

୧. ଜୁନ୍ ୨୦ରେ ବିଧାନ ପରିଷଦ ନିର୍ବାଚନ ପରେ ପରେ ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ ଅନ୍ତର୍ଧାନ ହୋଇଗଲେ। ପରେ ଜଣାଗଲା ଯେ ସେ ୧୧ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ବିଜେପି-ଶାସିତ ରାଜ୍ୟ ଗୁଜରାଟର ସୁରଟ ପଳାଇଛନ୍ତି।
୨. ପରଦିନ ଉଦ୍ଧବ ଠାକରେ ଦଳୀୟ ବିଧାୟକମାନଙ୍କର ଏକ ବୈଠକ କଲେ, ଯେଉଁଠି ଆଉ ୧୦-୧୨ ଜଣ ବିଧାୟକଙ୍କୁ ଦେଖିବାକୁ ମିଳିଲା ନାହିଁ। ସିନ୍ଦେଙ୍କୁ ବିଧାୟକ ଦଳ ନେତା ପଦରୁ ବିଦା କରାଗଲା।
୩. ଆଉ ଅଧିକ ବିଧାୟକଙ୍କୁ ନ ହରାଇବା ପାଇଁ ଶିବସେନା ଅବଶିଷ୍ଟ ବିଧାୟକମାନଙ୍କୁ ନେଇ ମୁମ୍ବାଇର ବିଭିନ୍ନ ହୋଟେଲରେ ରଖିଲା।
୪. ଅପ୍ରାକୃତିକ ଏମ୍‌ଭିଏ ମେଣ୍ଟ ଭାଙ୍ଗି ବିଜେପି ସହ ମେଣ୍ଟ କରିବା ପାଇଁ ସିନ୍ଦେ ଉଦ୍ଧବଙ୍କୁ କହିଲେ।
୫. ସିନ୍ଦେ ଦାବି କଲେ ଯେ ତାଙ୍କ ପାଖରେ ୪୦ ଜଣ ବିଧାୟକଙ୍କ ସମର୍ଥନ ଅଛି।
୬. ଦଳବଦଳ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷିତ ହେବାରୁ ବଞ୍ଚିବା ପାଇଁ ସିନ୍ଦେଙ୍କୁ ଏକତୃତୀୟାଂଶ ଅର୍ଥତ୍ ୫୫ରୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଦରକାର ଥିଲା।
୭. ଜୁନ୍ ୨୨ରେ ୪୦ ବିଧାୟକଙ୍କୁ ସାଙ୍ଗରେ ଧରି ସିନ୍ଦେ ଅନ୍ୟତମ ବିଜେପି-ଶାସିତ ରାଜ୍ୟଆସାମର ଗୌହାଟୀ ପଳାଇ ସେଠାରେ ଏକ ହୋଟେଲରେ ରହିଲେ।
୮. ସେହିଦିନ ସନ୍ଧ୍ୟାରେ ଉଦ୍ଧବ ଘୋଷଣା କଲେ ଯେ ସେ ମେଣ୍ଟର ନେତା ଓ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବାକୁ ଚାହାନ୍ତି।
୯. ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ ଆବାସ ‘ବର୍ଷା’ ଛାଡ଼ି ନିଜର ପୈତୃକ ଗୃହ ‘ମାତୋଶ୍ରୀ’ ଚାଲିଗଲେ।
୧୦. ଶିବସେନାରେ ବିଦ୍ରୋହ ପଛରେ ବିଜେପିର ହାତ ଅଛି ଏବଂ ବିଜେପି ଏମ୍‌ଭିଏ ସରକାରକୁ ଭାଙ୍ଗିବାକୁ ଚାହୁଛି ବୋଲି ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଅଭିଯୋଗ କଲେ।
୧୧. ଜୁନ୍ ୨୩ରେ ସିନ୍ଦେ ଓ ୩୭ ଜଣ ବିଧାୟକ ଘୋଷଣା କଲେ ସିନ୍ଦେ ହେଉଛନ୍ତି ଶିବସେନା ବିଧାୟକ ଦଳ ନେତା।
୧୨. ଜୁନ୍ ୨୪ରେ ଶିବସେନା ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଏକ ପିଟିସନ ଦାଏର କରିବା ସହ ସିନ୍ଦେ ଶିବିରର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଉପବାଚସ୍ପତି ନରହରି ଜିରୱାଲଙ୍କ ଆଗରେ ଗୁହାରି କଲା। ଜିରୱାଲ ଶିବସେନା ନେତାମାନଙ୍କୁ ଭେଟିବା ସହ ମହାରାଷ୍ଟ୍ର ମହାଧିବକ୍ତା (ଆଡ୍‌ଭୋକେଟ୍ ଜେନେରାଲ)ଙ୍କଠାରୁ ଆଇନଗତ ପରାମର୍ଶ ନେଲେ।
୧୩. ବିଜେପିକୁ ସମର୍ଥନ କରୁଥିବା ଦୁଇଜଣ ସ୍ବାଧୀନ ବିଧାୟକ ଜିରୱାଲଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ। ୩୪ ଜଣ ବିଧାୟକ ସ୍ବାକ୍ଷର ଥିବା ଅନାସ୍ଥା ଭୋଟ୍‌କୁ ଜିରୱାଲ ପ୍ରତ୍ୟାଖ୍ୟାନ କଲେ କାରଣ ତାହା ଇମେଲ ଯୋଗେ ପଠାଯାଇଥିଲା।
୧୪. ସେହିଦିନ ଏକନାଥ ସିନ୍ଦେ, ଗୃହମନ୍ତ୍ରୀ ଅମିତ ଶାହ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ନିମେନ୍ତ ଗୁଜରାଟର ବଡ଼ୋଦରାରେ ଏକ ବୈଠକ କଲେ।
୧୫. ଜୁନ୍ ୨୬ରେ ଉପବାଚସ୍ପତି ଅନାସ୍ଥା ଭୋଟ୍‌କୁ ଅଗ୍ରାହ୍ୟ କରିଥିବା ନେଇ ସିନ୍ଦେ ସୁପ୍ରିମ୍‌କୋର୍ଟରେ ଫେରାଦ ହେଲେ।
୧୬. ଜୁନ୍ ୨୭ରେ ସୁପ୍ରିମ୍‌କୋର୍ଟ ଶୁଣାଣିକୁ ଜୁଲାଇ ୧୧କୁ ସ୍ଥଗିତ ରଖିଲେ ଏବଂ ଜିରୱାଲଙ୍କୁ ଅନାସ୍ଥା ନେଇ ଏକ ସତ୍ୟପାଠ ଦାଖଲ କରିବାକୁ କହିଲେ।
୧୭. ଜୁନ୍‌ ୨୮ରେ ବିଦ୍ରୋହୀ ବିଧାୟକମାନେ ୩୦ରେ ମୁମ୍ବାଇ ଫେରିବାକୁ ଘୋଷଣା କଲେ । ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ରାଜ୍ୟପାଳଙ୍କୁ ଭେଟି ସରକାର ସଂଖ୍ୟାଲଘୁ ହୋଇଯାଇଥବାରୁ ତୁରନ୍ତ ବହୁମତ ପ୍ରମାଣ ଦେବା ପାଇଁ ଦାବି ଉପସ୍ଥାପନ କରିଥିଲେ।

୧୮. ଜୁନ୍ ୨୯ରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜ୍ୟପାଳଙ୍କ ବହୁମତ ପ୍ରମାଣ ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ରାୟ ଦେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ। ଫଳରେ ବିକଳ୍ପ ସରକାର ଗଠନ ଲାଗି ବାଟ ଫିଟିଥିଲା।

୧୯.  ଜୁନ ୩୦ରେ ବିଜେପି ନେତା ଦେବେନ୍ଦ୍ର ଫଡନବୀସ୍ ଓ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ରଖିଥିଲେ। ଏହାପରେ ଫଡ଼ନବୀସ୍ ଘୋଷଣା କରିଥିଲେ କି ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଓ ସେ ସରକାରରେ ସାମିଲ୍ ହେବେ ନାହିଁ। ମାତ୍ର ପରେ କେନ୍ଦ୍ରୀୟ ନେତୃତ୍ବଙ୍କ ଅନୁରୋଧରେ ସେ ଉପ-ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ।

୨୦.  ଜୁନ୍ ୩୦ ସଂଧ୍ୟା ୭.୩୦ରେ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବୀସ୍ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର