୧୦ ରାଜ୍ୟରେ ଆର୍‌ ଭାଲ୍ୟୁ ଜାତୀୟ ହାରଠାରୁ ଅଧିକ, ୩୮ ହଜାର ନୂଆ ମାମଲା

ନୂଆଦିଲ୍ଲୀ : କରୋନାର ଡେଲ୍‌ଟା ପ୍ରଜାତି ପାଇଁ ଦେଶରେ ଆର୍‌ ଭାଲ୍ୟୁ ବଢ଼ିଛି। ଗତ ମାସ‌ରେ ଦେଶର ଆର୍‌ ଭାଲ୍ୟୁ ୦.୯୩ ଥିଲା। କିନ୍ତୁ ଏବେ ଏହା ୧ ଟପିଯାଇଛି। ଏବେ ଦେଶରେ ଆର୍‌ ଭାଲ୍ୟୁ ହାର ୧.୦୧ ରହିଛି। ଏହାର ଅର୍ଥ ଜଣେ ବ୍ୟକ୍ତି ଜଣଙ୍କରୁ ଅଧିକଙ୍କୁ ସଂକ୍ରମିତ କରୁଛନ୍ତି। ଦେଶରେ ୧୦ ରାଜ୍ୟରେ ଆର୍‌ ଭାଲ୍ୟୁ ଜାତୀୟ ହାରଠାରୁ ଅଧିକ ରହିଛି। ମଧ୍ୟପ୍ରଦେଶରେ ସର୍ବାଧିକ ଆର୍‌ ଭାଲ୍ୟୁ ୧.୩୧ ରହିଥିବା ବେଳେ ହିମାଚଳପ୍ରଦେଶରେ ୧.୩, ନାଗାଲାଣ୍ଡ୍‌ରେ ୧.୦୯ ରହିଛି। କେରଳରେ ଏବେ ଦେଶର ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ଏଠାରେ ଆର୍‌ ଭାଲ୍ୟୁ ୧.୦୬ ରହିଛି।।

ଦେଶରେ ଆଜି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୩୮,୬୨୮ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୬୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୪୦,୦୧୭ ଜଣ କ‌ରୋନାରୁ ସୁସ୍ଥ ହେବା ସହ ‌ଦେଶରେ ଆରୋଗ୍ୟ ହାର ୯୭.୩୭ ପ୍ରତିଶତକୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୧.୨୯ ପ୍ରତିଶତ ରହିଛି ସାପ୍ତାହିକ ପଜିଟିଭ୍‌ ହାର ୫ ପ୍ରତିଶତ ତଳେ ରହୁଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକରୁ ୮୧.୫୧ ପ୍ରତିଶତ ମାମଲା ଚିହ୍ନଟ ‌ହୋଇଥିବା ବେଳେ କେବଳ କେରଳରେ ୫୧.୬୪ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ସର୍ବାଧିକ ୧୯,୯୪୮ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୫,୫୩୯, ଆନ୍ଧ୍ରପ୍ରଦେଶରେ ୨,୨୦୯, ତାମିଲନାଡ଼ୁରେ ୧୯୮୫ ଏବଂ କର୍ଣ୍ଣାଟକରେ ୧୮୦୫ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର