ବେଙ୍ଗାଲୁରୁ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚିକିତ୍ସା ପାଇଁ ବ୍ୟବହୃତ କକ୍‌ଟେଲ ଔଷଧର ଚାହିଦା ବଢ଼ୁଛି। ଏହା ମାତ୍ର ୨-୩ ଦିନରେ ‌ରୋଗୀଙ୍କୁ କରୋନାରୁ ସୁସ୍ଥ କରିଦେଉଛି। ଭାରତରେ କିଛି ସ୍ଥାନରେ ମଧ୍ୟ ଏହି ଔଷଧର ବ୍ୟବହାର ହୋଇଛି ଏବଂ ଶତ ପ୍ରତିଶତ ଫଳ ମଧ୍ୟ ମିଳିଛି। ଏବେ ଏହି ଔଷଧ କର୍ଣ୍ଣାଟକରେ ବେଶି ଆଦୃତ ହୋଇଛି। ବେଙ୍ଗାଲୁରୁର ମଣିପାଲ୍‌ ହସ୍ପିଟାଲ୍‌ କେବଳ ୮୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧର ବ୍ୟବହାର କରିଛି ଏବଂ ଔଷଧ ଖାଇବାପରେ ସେମାନେ ଶୀଘ୍ର ସୁସ୍ଥ ହୋଇଯାଉଥିବା ଜଣାପଡ଼ିଛି। କିନ୍ତୁ ଏହି ଔଷଧ ବେଶି ପରିମାଣରେ ଉପଲବ୍ଧ ନାହିଁ। ମଣିପାଲ୍‌ ହସ୍ପିଟାଲ୍‌ର ଡାକ୍ତର ସତ୍ୟନାରାୟଣ ମହୀଶୁର କହିଛନ୍ତି, ସେ ନିଜେ ୮୦ରୁ ଅଧିକ ରୋଗୀଙ୍କୁ ଏହି ଔଷଧ ଦେଇଛନ୍ତି। ଔଷଧ ଦିଆଯିବା ପରେ ୨୪-୪୮ ଘଣ୍ଟା‌ ମଧ୍ୟରେ ରୋଗୀ ସୁସ୍ଥ ହୋଇଯାଇଛନ୍ତି। ଶାନ୍ତି ହସ୍ପିଟାଲ୍‌ ଏବଂ ରିସର୍ଚ୍ଚ‌୍ ସେଣ୍ଟର୍‌ର ଜଣେ ଡାକ୍ତର ସଂଜୟ ଗୁରୁରାଜ କହିଛନ୍ତି, କକ୍‌ଟେଲ୍‌ ଔଷଧ ଦ୍ବାରା ରୋଗୀ ଗୁରୁତର ହେଉନାହାନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଗତ ବର୍ଷ ନଭେମ୍ବରରେ ଆମେରିକା ଏଫଡିଏଏ ‘ରିଜେନ୍‌-କଭ୍‌’କୁ ଜରୁରୀ ବ୍ୟବହାର ପାଇଁ ସ୍ବୀକୃତି ଦେଇଥିଲେ। ଏଥିରେ ୨ଟି ମନୋକ୍ଲୋନାଲ୍‌ ଆଣ୍ଟିବଡି ରହୁଛି। ଗୋଟିଏ ପ୍ୟାକ୍‌ ରିଜେନ୍‌-କଭ୍‌ରେ ୧୨୦୦ ଏମ୍‌ଜିର କାସିରିଭିମାବ୍‌ ଏବଂ ୧୨୦୦ ଏମ୍‌ଜିର ଇମଦେଭିମାବ ରହୁଛି। ଗୋଟିଏ ପ୍ୟା‌କେଟ୍‌ର ମୂଲ୍ୟ ୧.୧୯ ଲକ୍ଷ। ଏହା ୨ ରୋଗୀଙ୍କ ପାଇଁ ବ୍ୟବହାର କରିହେବ। ତେଣୁ ଗୋଟିଏ ରୋଗୀ ପାଇଁ ୫୯,୭୫୦ ଖର୍ଚ୍ଚ କରିବାକୁ ପଡ଼ୁଛି। କିଛି ଡାକ୍ତର ଏହି ଔଷଧର ଉଚ୍ଚ ମୂଲ୍ୟ ପାଇଁ ଏହାକୁ ବ୍ୟବହାର କରୁନାହାନ୍ତି। ତେବେ ଯଦି ଜଣେ ରୋଗୀଙ୍କୁ ଏହି ମେଡିସିନ୍‌ ଠିକ୍‌ ସମୟରେ ଦିଆଯାଏ ତେବେ ତାଙ୍କୁ ଅକ୍ସିଜେନ୍‌ କିମ୍ବା ଆଇସିୟୁ ବେଡ୍‌ ଆବଶ୍ୟକ ହେବନାହିଁ।