୨୦ ବର୍ଷରେ ଗ୍ରିନ୍‌ଲାଣ୍ଡ୍‌ ବରଫ ଆସ୍ତରଣ ତରଳି ଯେତେ ପାଣି ହୋଇଛି ସେତିକିରେ ବୁଡ଼ିଯିବ ଆମେରିକା: ଅଧ୍ୟୟନ

କୋପେନ୍‌ହେଗନ୍‌: ବିଗତ ୨୦ ବର୍ଷ ମଧ୍ୟରେ ଗ୍ରିନ୍‌ଲାଣ୍ଡ୍‌ର ବିଶାଳ ବରଫ ଆସ୍ତରଣ ତରଳି ଯେତେ ପାଣି ବହିଯାଇଛି ସେତେକ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାକୁ ଅଧ ମିଟର୍‌ ଉଚ୍ଚ ପାଣିରେ ବୁଡ଼ାଇ ଦେବାକୁ ଯଥେଷ୍ଟ ବୋଲି ଡେନ୍‌ମାର୍କ‌ର ଗବେଷକମାନେ ରିଲିଜ୍‌ କରିଥିବା ତଥ୍ୟାବଳୀରୁ ଜଣାପଡ଼ିଛି।

ବିଶ୍ବର ଅନ୍ୟ ଯେକୌଣସି ସ୍ଥାନ ଅପେକ୍ଷା ଆର୍କଟିକ୍‌ରେ ଜଳବାୟୁ ଦ୍ରୁତ ବେଗରେ ଉତପ୍ତ ହେଉଛି। ତେଣୁ, ଗ୍ରିନ୍‌ଲାଣ୍ଡ୍‌ରୁ ତରଳୁ ଥିବା ବରଫ ଏବେ ବିଶ୍ବ ସମୁଦ୍ର ପତ୍ତନ ବୃଦ୍ଧିର ମୁଖ୍ୟ କାରଣ ବୋଲି ‘ନାସା’ କହୁଛି।

୨୦୦୨ରେ ମାପ ଆରମ୍ଭ ହେବା ସମୟରୁ ଏପର୍ଯ୍ୟନ୍ତ ଗ୍ରିନ୍‌ଲାଣ୍ଡ୍‌ର ବରଫ ଆସ୍ତରଣ ପ୍ରାୟ ୪,୭୦୦ ବିଲିୟନ୍‌ ଟନ୍‌ ବରଫ ହରାଇଛି ବୋଲି କେତେକ ଡେନ୍‌ମାର୍କୀୟ ଏବଂ ଆର୍କଟିକୀୟ ଗବେଷଣା ପ୍ରତିଷ୍ଠାନ ସଂଶ୍ଳିଷ୍ଟ ଥିବା ମିଳିତ ପ୍ରକଳ୍ପ ‘ପୋଲାର୍‌ ପୋର୍ଟାଲ୍‌’ କହିଛି।

Image Courtesy of France24

ସେତିକ ବରଫରୁ ୪,୭୦୦ ଘନ କିଲୋମିଟର୍‌ ତରଳ ଜଳ ବାହାରିବ ଯାହା ସମଗ୍ର ଆମେରିକାକୁ ଅଧମିଟର୍‌ ଉଚ୍ଚ ଜଳରାଶିରେ ବୁଡ଼ାଇ ପାରିବ। ଏହାଛଡ଼ା, କ୍ଷୟ ହୋଇଥିବା ଉକ୍ତ ବରଫ ଯୋଗୁଁ ସମୁଦ୍ର ପତ୍ତନ ୧.୨ ସେଣ୍ଟିମିଟର୍‌ ବୃଦ୍ଧି ପାଇଛି ବୋଲି ‘ଆର୍କଟିକ୍‌ ମନିଟରିଙ୍ଗ୍‌’ ୱେବ୍‌ସାଇଟ୍‌ କହିଛି।

‘ପୋଲାର୍‌ ପୋର୍ଟାଲ୍‌’ର ତଥ୍ୟାବଳୀ ‘ୟୁଏସ୍‌-ଜର୍ମାନ୍‌ ଗ୍ରେସ୍‌ କାର୍ଯ୍ୟକ୍ରମ’ର ‘ସାଟେଲାଇଟ୍‌ ଇମେଜେରି’ ଆଧାରିତ। ଆର୍କଟିକ୍‌ ଅଞ୍ଚଳର ଉପକୂଳରେ ଥିବା ବରଫ ଆସ୍ତରଣ ଧାରରୁ ସବୁଠୁ ଅଧିକ ବରଫ ତରଳୁଥିବା ଉକ୍ତ ‘ସାଟେଲାଇଟ୍‌ ଇମେଜେରି’ରୁ ଜଣାପଡ଼ିଛି। ବିଶେଷକରି, ଗ୍ରିନ୍‌ଲାଣ୍ଡ୍‌ର ପଶ୍ଚିମ ଉପକୂଳ ପ୍ରଭାବିତ ହୋଇଛି। ନିର୍ଦ୍ଦିଷ୍ଟ ଭାବେ ଦେଖିଲେ, ଆର୍କଟିକ୍‌ରେ ଜଳବାୟୁ ପରିବର୍ତ୍ତନ ବଡ଼ ଉଦ୍‌ବେଗଜନକ। ବୈଶ୍ବିକ ଉତ୍ତାପ ଠାରୁ ସେଠାକାର ହାରାହାରି ଉତ୍ତାପ ୩/୪ଗୁଣ ଅଧିକ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର