୨୦୧୯‌ରେ ସାମ୍ପ୍ରଦାୟିକ ଦଙ୍ଗା ୧୪ ପ୍ରତିଶତ କମିଛି

ନୂଆଦିଲ୍ଲୀ: ୨୦୧୮ ତୁଳନାରେ ୨୦୧୯ରେ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରାୟ ୧୪ ପ୍ରତିଶତ କମ୍‌ ରହିଛି। ୨୦୧୮ରେ ଦେଶରେ ମୋଟ୍‌ ୫୧୨ଟି ସାମ୍ପ୍ରଦାୟିକ ଦଙ୍ଗା ମାମଲା ଥିଲା କିନ୍ତୁ ୨୦୧୯ରେ ଏହା ୪୪୦କୁ କମିଯାଇଛି। ଏନ୍‌ସିଆରବି ତଥ୍ୟ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି ଏହା କୁହାଯାଇଛି। ଏନ୍‌ସିଆରବି ତଥ୍ୟ ଅନୁଯାୟୀ ୨୦୧୯ରେ ବିହାରରେ ସର୍ବାଧିକ ୧୩୫ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିବାବେଳେ ଝାଡ଼ଖଣ୍ଡରେ ୫୪, ହରିୟାଣାରେ ୫୦ ଏବଂ ମହାରାଷ୍ଟ୍ରରେ ୪୭ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି।

ତଥ୍ୟ ଅନୁଯାୟୀ ୨୦୧୯ରେ ଉତ୍ତରପ୍ରଦେଶରେ କୌଣସି ସାମ୍ପ୍ରଦାୟିକ ଦଙ୍ଗା ହୋଇନଥିବା ବେଳେ ମଧ୍ୟପ୍ରଦେଶରେ ୩୨, ଗୁଜରାଟରେ ୨୨ ଏବଂ କେରଳରେ ୨୧ଟି ସାମ୍ପ୍ରଦାୟିକ ଦଙ୍ଗା ମାମଲା ରହିଛି। କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଷାନ ରେଡ୍ଡି କହିଛନ୍ତି, ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ସହ ଧନ , ଜୀବନର ସୁରକ୍ଷା ଏବଂ ସାମ୍ପ୍ରଦାୟିକ ଦଙ୍ଗା ଭଳି ଅପରାଧର ତଦନ୍ତ, ବିଚାରଣ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ । କେନ୍ଦ୍ର ସରକାର ମଧ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ସ୍ଥିତି ଯାଞ୍ଚ କରୁଛନ୍ତି ।

ସମ୍ବନ୍ଧିତ ଖବର