ବେଙ୍ଗାଲୁରୁ: ୨୦୨୦ ମହାମାରୀ ସମୟରେ ଭାରତରେ ୧୨,୫୦୦ ଛାତ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଦୈନିକ ହାରାହାରି ୩୪ ଜଣରୁ ଅଧିକ ଆତ୍ମହତ୍ୟା କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ସଦ୍ୟତମ ଆତ୍ମହତ୍ୟା ତଥ୍ୟରୁ ଜଣାପଡ଼ିଛି, ଗତବର୍ଷର ଆତ୍ମହତ୍ୟା ୨୦୧୯ ତୁଳନାରେ ପ୍ରାୟ ୨୧ ପ୍ରତିଶତ ଅଧିକ। ୧୯୯୫ରୁ ବାର୍ଷିକ ତଥ୍ୟର ବିଶ୍ଳେଷଣ କଲେ ଜଣାପଡ଼ୁଛି ଯେ, ୧୯୯୫ରୁ ଏ ଯାବତ୍ ମୋଟ ୧.୮ ଲକ୍ଷ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ସବୁଠାରୁ ଅଧିକ ଆତ୍ମହତ୍ୟା କରିଛନ୍ତି। ଅଥଚ ଏହି ବର୍ଷ ପରୀକ୍ଷାର କୌଣସି ଚାପ ନ ଥିଲା କାରଣ ପ୍ରାୟ ସବୁ ପିଲାଙ୍କୁ ବିନା ପରୀକ୍ଷାରେ ପାସ୍ କରାଇ ଦିଆଯାଇଥିଲା।
୨୦୨୦ରେ ଆତ୍ମହତ୍ୟା କରିଥିବା ୧୨,୫୨୬ ଛାତ୍ରଙ୍କ ମଧ୍ୟରୁ ୬,୫୯୮ ବା ପ୍ରାୟ ୫୩% ମାତ୍ର ଛଅଟି ରାଜ୍ୟର। ସେଗୁଡ଼ିକ ହେଉଛି: ମହାରାଷ୍ଟ୍ର, ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଝାଡ଼ଖଣ୍ଡ ଓ କର୍ଣ୍ଣାଟକ। ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫,୯୨୮ ଛାତ୍ର ଆତ୍ମହତ୍ୟା କରିଥିଲେ। କୋଭିଡ୍ ସମେତ ବିଭିନ୍ନ କାରଣରୁ ମାନସିକ ଚାପଗ୍ରସ୍ତ ହୋଇ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିଥିବା ମାନସିକ ରୋଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ନୂଆ ପ୍ରକାର ପାଠପଢ଼ାକୁ ନେଇ ଆସିଥିବା ଏକାଡେମିକ୍ ଚ୍ୟାଲେଞ୍ଜ, ପାରିବାରିକ, ଆର୍ଥିକ ଓ ସମାଜିକ କାରଣ ମଧ୍ୟ ଆତ୍ମହତ୍ୟା ହାର ବୃଦ୍ଧିର କାରଣ ହୋଇପାରେ। ମାନସିକ ରୋଗ ବିଶାରଦ ଡ. ଜନ ବିଜୟ ସାଗର କହିଛନ୍ତି, ଆତ୍ମହତ୍ୟା ହଠାତ୍ କେହି କରନ୍ତି ନାହିଁ। ଅଧିକାଂଶ କ୍ଷେତ୍ରରେ ପୂର୍ବରୁ ସମସ୍ୟା ଥିଲା। ମହାମାରୀ ପରେ ସେହି ସମସ୍ୟା ଆହୁରି ବଢ଼ିଗଲା, ଯାହା ସହିତ ପିଲାମାନେ ଖାପ ଖୁଆଇ ପାରିଲେ ନାହିଁ। ତେଣୁ ମାନସିକ ଚାପ ବଢ଼ି ତାହା ଆତ୍ମହତ୍ୟା ପର୍ଯ୍ୟନ୍ତ ନେଇଗଲା। ଲକ୍-ଡାଉନ୍ ଯୋଗୁ ସ୍କୁଲ-କଲେଜ ପରିବେଶ ଓ ସାଙ୍ଗସାଥୀଙ୍କ ବିନା ଅନେକେ ଆବଦ୍ଧ ଘରେ ନିଜକୁ ଏକୁଟିଆ ଓ ନିଃସଙ୍ଗ ଅନୁଭବ କରିଥିବେ। ମହାମାରୀ ସମୟରେ ଅନେକ ପରିବାରର ଆର୍ଥିକ ସମସ୍ୟା ବଢ଼ିଥିବାରୁ ଏହା ମଧ୍ୟ ପିଲାଙ୍କ ଉପରେ ପ୍ରଭାବ ପକାଇଥିବ। ଅନେକ ପିଲା ଅନ୍ଲାଇନ୍ ପାଠପଢ଼ା ସହ ଖାପ ଖୁଆଇ ନ ପାରି ମାନସିକ ଚାପଗ୍ରସ୍ତ ହୋଇଥିବେ ବୋଲି ଡ. ସାଗର କହିଛନ୍ତି।