ନୂଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୧୩୩୪ଜଣ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୨୭ଜଣଙ୍କର ମୃତ୍ୟୁ ଘଟିଛି | ଆଜି ଦୈନିକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଏହି ସୂଚନା ଦେଇଛନ୍ତି | ଏହା ସହ ଗତକାଲି ୨୩ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ଜିଲ୍ଲାରେ କୌଣସି ନୂଆ ସଂକ୍ରମଣ ଦେଖାଯାଇନାହିଁ ବୋଲି ସୂଚନା ଦିଆ ଯାଇଥିବା ବେଳେ ଆଜି ୨୩ଟି ରାଜ୍ୟର ୫୪ଟି ଜିଲ୍ଲାରେ ଗତ ୧୪ଦିନ ମଧ୍ୟରେ କୌଣସି ସଂକ୍ରମଣ ଦେଖାଯାଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲଙ୍କ କହିବା ମୁତାବକ, ଦେଶରେ ୭୫୫ଟି ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ ୧,୩୮୯ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଗଢ଼ିଉଠିଛି, ଯେଉଁଠାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ | ଭାରତରେ ଏବେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୫,୭୧୨ ରହିଥିବା ବେଳେ ୫୦୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୮ ଦିନ ମଧ୍ୟରେ ପୁଡୁଚେରୀର ମହେରେ ଏବଂ କର୍ଣ୍ଣାଟକର କୋଡାଗୁରେ କୌଣସି ନୂତନ ମାମଲା ରିପୋର୍ଟ ହୋଇନାହିଁ |

Dr Raman R Gangakhedkar, head scientist, ICMR, during daily media briefing on coronavirus in New Delhi on Sunday. Photo/ANI aninews

ସେହିଭଳି ଭାବେ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆଇସିଏମଆର ଡକ୍ଟର ରମଣ ଆର ଗଙ୍ଗା-ଖେଡକର କହିଛନ୍ତି ଯେ, ଆମେ ଏପର୍ଯ୍ୟନ୍ତ ୩,୮୬,୭୯୧ ନମୁନା ପରୀକ୍ଷା କରିଛୁ | ଗତକାଲି ୩୭,୧୭୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯,୨୮୭ଟି ନମୁନା ଆଇସିଏମଆର ନେଟୱାର୍କର ଲ୍ୟାବରେ ଏବଂ ୭,୮୮୬ ନମୁନା ପରୀକ୍ଷା ବେସରକାରୀ ଲ୍ୟାବରେ କରାଯାଇଥିଲା |