ମସ୍କୋ: ରୁଷ୍‌ର ଘରୋଇ ସେନା ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କର ଗତକାଲି ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତେବେ ଉକ୍ତ ବିମାନ ହଠାତ୍‌ ତଳକୁ ଖସି ଧ୍ବଂସ ହେବାର ୩୦ ସେକେଣ୍ଡ ପର୍ଯ୍ୟନ୍ତ ସେଥିରେ କୌଣସି ସମସ୍ୟା ଦେଖାଦେଇ ନଥିଲା। ବିମାନ ଟ୍ରାକିଂ ତଥ୍ୟରୁ ଏହା ଜଣାଯାଇଛି। ରୁଷ୍‌ର ‌ବିମାନ ଚଳାଚଳ ଏଜେନ୍ସି ରୋସାଭିଏତସିଆ ପକ୍ଷରୁ କୁହାଯାଇଛି ଯେ ପ୍ରିଗୋଜିନ ଥିବା ବିମାନରେ ମୋଟ ୧୦ ଜଣ ଯାତ୍ରୀ ଥିଲେ। ସେମାନେ ମସ୍କୋରୁ ସେଣ୍ଟ ପିଟର୍ସବର୍ଗକୁ ଯାଉଥିଲେ। ତେଭେର ଅଞ୍ଚଳର କୁଝେନକିନୋ ଗ୍ରାମ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷ୍‌ର ଜରୁରୀ ପରିସ୍ଥିତି ମନ୍ତ୍ରାଳୟ କହିଛି। ଫ୍ଲାଇଟ୍‌ରାଡାର ୨୪ର ଇଆନ୍ ପେଟଚେନିକଙ୍କ କହିବାନୁଯାୟୀ ଜିଏମଟି ସମୟ ଅପରାହ୍ଣ ୩ଟା ୧୯ରେ ବିମାନଟି ହଠାତ୍‌ ସିଧା ତଳକୁ ଖସିଥିଲା। ବିମାନଟି ୨୮ ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିବାବେଳେ ହଠାତ୍‌ ୩୦ ସେକେଣ୍ଡରେ ୮୦୦୦ ଫୁଟ୍‌ରୁ ଅଧିକ ଖସିଯାଇଥିଲା। ବିମାନ ଏଭଳି ନାଟକୀୟ ଭାବେ ଖସିବା ପୂର୍ବରୁ ସେଥିରେ କୌଣସି ସମସ୍ୟା ଥିବା ସଂକେତ ମିଳି ନଥିଲା। ବିମାନ ସଂପୂର୍ଣ୍ଣ ତଳମୁହାଁ ହୋଇ ଖସିଥିଲା ଏବଂ ଏହାର ପଛପଟୁ ଧୂଆଁ ବାହାରୁଥିଲା।

Advertisment

ଦୁର୍ଘଟଣାର କାରଣ ସଂପର୍କରେ ରୁଷ୍‌ ତଦନ୍ତ ଆରମ୍ଭ କରିଛି। ତେବେ କିଛି ସୂତ୍ରକୁ ଉଦ୍ଧାର କରି ରୁଷ୍‌ର ଗଣମାଧ୍ୟମ କହିଛି ଯେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ଏକ କ୍ଷେପଣାସ୍ତ୍ର ସହାୟତାରେ ବିମାନକୁ ତଳକୁ ଖସାଇ ଦିଆଯାଇଥିଲା। ପ୍ରିଗୋଜିନ ଯାତ୍ରା କରୁଥିବା ବିମାନଟି ବ୍ରାଜିଲ କମ୍ପାନି ଏମ୍ବ୍ରାଏର। ତେବେ ଏହି କମ୍ପାନି ଗତ କିଛିବର୍ଷ ହେଲା ଏହାକୁ କୌଣସି ସେବା ଯୋଗାଉ ନଥିବା କହିଛି। କିନ୍ତୁ ଏଥିରେ ୧୩ ଜଣ ବସିବା କ୍ଷମତା ରହିଛି। ଅନଲାଇନ ଫ୍ଲାଇଟ୍ ଟ୍ରାକର ଫ୍ଲାଇଟରାଡାର ୨୪ ଜିଏମ୍‌ଟି ସମୟ ଅପରାହ୍ଣ ୩ଟା ୧୧ ପର୍ଯ୍ୟନ୍ତ ବିମାନର ଯାତ୍ରା ରେକର୍ଡିଂ କରିଛି। ଏହାପରେ ଜାମିଂ କିମ୍ବା ଅ‌ନ୍ୟ କୌଣସି ପ୍ରତିବନ୍ଧକ କାରଣରୁ ବିମାନର ଅବସ୍ଥିତି ସଂପର୍କିତ ତଥ୍ୟ ଏହାକୁ ମିଳି ନଥିଲା। କିନ୍ତୁ ଅନ୍ୟ ତଥ୍ୟ ଆଉ ୯ ମିନିଟ ପର୍ଯ୍ୟନ୍ତ ଆସିଥିଲା। ତଳକୁ ଖସିଯିବା ପୂର୍ବରୁ ଏକାଧିକ ଥର ବିମାନଟି ଉପରତଳ ହୋଇଥିଲା। ୩ଟା ୨୦ରେ ଫ୍ଲାଇଟରାଇଡର୨୪କୁ ଶେଷ ତଥ୍ୟ ମିଳିଥିଲା। ପ୍ରିଗୋଜିନଙ୍କ ମୃତ୍ୟୁ ପାଇଁ ଅନେକ ସିଧାସଳଖ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦାୟୀ କରୁଥିବା ବେଳେ ଘରୋଇ ୱାଗନର ସେନାର ସଦସ୍ୟମାନେ ଏବେ ପୁଟିନଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି। ୱାଗନର ପକ୍ଷରୁ ଆଉ ଏକ ବିଦ୍ରୋହ ସମ୍ଭବନା ଥିବାରୁ ରୁଷ୍‌ର ସରକାରୀ ସେନା ମଧ୍ୟ ଏହା ଉପରେ ସତର୍କ ନଜର ରଖିଛି। ଯେ କୌଣସି ବିଦ୍ରୋହକୁ ଦମନ କରାଯିବ ବୋଲି ପୂର୍ବରୁ ପୁଟିନ ଘୋଷଣା କରିଥିବାରୁ ଆବଶ୍ୟକ ହେଲେ ୱାଗନର ସେନାକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ପାଇଁ ବଡ଼ ଅପରେସନ ହୋଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।