ଭୋପାଳ: ୨ ଜଣ ଶିଶୁ ଦୁଷ୍କର୍ମକାରୀଙ୍କୁ ମଧ୍ୟପ୍ରଦେଶର ଗୋଓ୍ଵାଲିୟର ଓ କଟ୍ନି ଜିଲ୍ଲା କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। କଟନି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍ ହେବାର ମାତ୍ର ୫ ଦିନ ମଧ୍ୟରେ କୋର୍ଟ ଆସାମୀଙ୍କୁ ଫାଶିଦଣ୍ଡାଦେଶ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଦୁଇ ଘଟଣା ସହିତ ମଧ୍ୟ ପ୍ରଦେଶର ବିଜେପି ସରକାର ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାର ଆଇନ ଆଣିବା ପରେ ଇତିମଧ୍ୟରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାଯାଇଛି।
ଗତ ଗୁରୁବାର ଦିନ ଗୋଓ୍ଵାଲିୟରର ପାଷ୍ଟ ଟ୍ରାକ୍ କୋର୍ଟ ଜଣେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ଜଣେ ବୁଲା ଆଇସକ୍ରିମ ବେପାରିଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜିତେନ୍ଦ୍ର କୁସଓ୍ଵା ନାମକ ଏହି ୨୪ ବର୍ଷିୟ ଯୁବକଙ୍କୁ ଘଟଣାର ୩୬ ଦିନ ମଧ୍ୟରେ ମୃତ୍ୟୁ ଦଣ୍ଡ ଦିଆଯାଇଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଥିିଲା। ମୃତ୍ୟୁ ଦଣ୍ଡର ୧୨ ଦିନ ପୂର୍ବରୁ ତାଙ୍କ ନାମରେ ଚାର୍ଜଫ୍ରେମ କରାଯାଇଥିଲା।
ସେହିପରି କଟନିର ସ୍ୱତନ୍ତ୍ର ଅଦାଲତ ଗୁରୁବାର ସନ୍ଧ୍ୟାରେ ସ୍କୁଲରୁ ଫେରୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରାଜକୁମାର କୋଲ ନାମକ ଜଣେ ଅଟୋରିକ୍ସା ଚାଳକଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିିତ କରିଛନ୍ତି। ରାଜକୁମାରଙ୍କୁ ଗିରଫ କରାଯାଇ ଚାର୍ଜଫ୍ରେମ କରାଯିବାର ମାତ୍ର ୫ ଦିନ ମଧ୍ୟର କୋର୍ଟ ଏପରି ଜଘନ୍ୟ କାର୍ଯ୍ୟ କରିଥିବା ଅଟୋ ରିକ୍ସା ଚାଳକ ରାଜକୁମାରଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶ ସରକାର ୧୨ ବର୍ଷରୁ କମ୍ ବୟସର ବାଳିକାଙ୍କୁ ଦୁଷ୍କର୍ମ କଲେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ୨୦୧୭ ମସିହା ନଭେମ୍ବର ମାସରେ ଆଇନ କରିଛନ୍ତି।