ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ଚୋର ପୁଲିସକୁ ଗତ ୫ ବର୍ଷ ଧରି ନାକେଦମ୍ କରିଆସୁଥିଲା। ପୁଲିସକୁ ଚକ୍ମା ଦେଇ ସେ ଏହି ୫ ବର୍ଷରେ ୫୦୦ ସୌଖୀନ କାର ଚୋରାଇବାରେ ସଫଳ ହୋଇଥିଲା। ଚୋରି କାର୍କୁ ବିକ୍ରି କରି ବେଶ୍ ସୌଖୀନ ଭାବେ ବଞ୍ଚୁଥିଲା। କିନ୍ତୁ ନିକଟରେ ତାକୁ ଗିରଫ କରାଯାଇଛି। ପୁଲିସ ସୂଚନା ମୁତାବକ ଏହି ଚୋରର ନାଁ ହେଉଛି ସଫ୍ରୁଦ୍ଦିନ୍। ବୟସ ୨୯। ଘର ହାଇଦ୍ରାବାଦରେ। ଘର ହାଇଦ୍ରାବାଦରେ ଥିଲେ ହେଁ, ଚୋରି ପାଇଁ ସେ ବିମାନ ଯୋଗେ ଦିଲ୍ଲୀ ଆସୁଥିଲା। ତା’ର ନଜର କେବଳ ସୌଖୀନ କାର ଉପରେ ଥିଲା। ଛୋଟ କାର ବିକିଲେ କମ୍ ଟଙ୍କା ମିଳୁଥିବାରୁ ବିଭିନ୍ନ ହାଇଏଣ୍ଡ୍ କାର୍ ଉପରେ ତା’ର ଦୃଷ୍ଟି ପଡ଼ିଥିଲା। ଏଥିପାଇଁ ନିଜର ଟେକ୍ନୋଲୋଜି ଜ୍ଞାନକୁ ସେ ବୃଦ୍ଧି କରିଥିଲା। ଦିଲ୍ଲୀରେ କିଛି ଚୋର ରଖିଥିଲା। ନିଜେ କିନ୍ତୁ ସବୁ ଯୋଜନା ତିଆରି କରୁଥିଲା। ଦିଲ୍ଲୀରେ ଥିବା ସହଯୋଗୀ ସୌଖୀନ କାର୍କୁ ଟାର୍ଗେଟ୍ କରିବା ପରେ ସଫ୍ରୁଦ୍ଦିନ୍କୁ ଖବର ଦେଉଥିଲେ। ସେ ହାଇଦ୍ରାବାଦରୁ ବିମାନ ଯୋଗେ ଆସି ଚୋରି ପାଇଁ ଯୋଜନା କରୁଥିଲା। ଚୋରି ସଫଳ ହେବା ପରେ ତାହାକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ଧରି ପୁଣି ହାଇଦ୍ରାବାଦ ଫେରିଯାଉଥିଲା।
ନିକଟରେ ପୁଲିସ ଇନ୍ସପେକ୍ଟର ନିରଜ ଚୌଧରୀ ଓ ସବ୍ଇନ୍ସପେକ୍ଟର କୁଲଦୀପଙ୍କ ନେତୃତ୍ୱରେ ଏକ ଟିମ୍ ସଫ୍ରୁଦ୍ଦିନ୍କୁ ଟାର୍ଗେଟ୍ କରିଥିଲା। ଅଗଷ୍ଟ ୩ରେ ତାକୁ ଗିରଫ କରାଯାଇଛି। ତେବେ ଏଥିପାଇଁ ଟିମ୍ ତାକୁ ୫୦ କିଲୋମିଟର ପିଛା କରିଥିଲା। ଶେଷରେ ପ୍ରଗତି ମୈଦାନ ଠାରେ ତାକୁ ଗିରଫ କରାଯାଇଥିବା ଡିସିପି ରାଜେଶ ଦେଓ ସୂଚନା ଦେଇଛନ୍ତି। ପୁଲିସ୍ ନିକଟରେ ଦୋଷ ସ୍ୱୀକାର କରି ସଫ୍ରୁଦ୍ଦିନ୍ କହିଛି ଯେ ବର୍ଷକୁ ସେ ଦିଲ୍ଲୀରୁ ୧୦୦ ସୌଖୀନ କାର୍ ଚୋରି ପାଇଁ ଲକ୍ଷ୍ୟ ରଖିଥିଲା। ୫ ବର୍ଷ ହେଲା ସେ ନିଜ ଲକ୍ଷ୍ୟ ପୂରଣ କରିପାରିଥିଲା। କାର୍ ଚୋରି ପାଇଁ ସେ ଲାପ୍ଟପ୍ ଓ ହାଇଟେକ୍ ଗ୍ୟାଜେଟ୍ ବ୍ୟବହାର କରୁଥିଲା। ଉଲ୍ଲେଖଯୋଗ୍ୟ, ଜୁନ୍ ୫ରେ ସଫ୍ରୁଦ୍ଦିନ୍ ଓ ତା’ର ୪ ଜଣ ସହଯୋଗୀ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପୁଲିସ ଗୁଳିରେ ତା’ର ସହଯୋଗୀ ନୁର୍ ମହମ୍ମଦ ପ୍ରାଣ ହରାଇଥିଲା। ତେବେ ଏହି ଚୋରମାନେ ପଂଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟରେ ଚୋରି କାର୍ ବିକିଥାନ୍ତି।