ନୂଆଦିଲ୍ଲୀ: ଓଡ଼ିଶାରେ ଗତ ୫ ବର୍ଷରେ ରେଳ ଧାରଣାରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ଡ. ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ୨୦୧୮-୧୯ରେ ୭, ୨୦୧୯-୨୦ରେ ୧, ୨୦୨୦-୨୧ରେ ୪, ୨୦୨୧-୨୨ରେ ୩ ଓ ୨୦୨୨-୨୩ରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାରଙ୍କ ଠାରୁ ଉପଲବ୍ଧ ତଥ୍ୟକୁ ଭିତ୍ତି କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌବେ ଉପରୋକ୍ତ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ଓଡ଼ିଶା ସମେତ ଦେଶର ୧୦ଟି ହାତୀ ବହୁଳ ରାଜ୍ୟ ଯଥା ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଝାଡ଼ଖଣ୍ଡ, କେରଳ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକରେ ଗତ ୫ ବର୍ଷରେ ମୋଟ ୭୫ ହାତୀଙ୍କର ମୃତ୍ୟୁ ରେଳ ଧାରଣାରେ ହୋଇଛି। ରେଳ ଧାରଣାରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଶକ୍ତି ପ୍ରସାଦ ନାୟକ ବନାମ ଭାରତ ସରକାର ମାମଲାରେ ସୁପ୍ରିମ୍କୋର୍ଟଙ୍କ ସେପ୍ଟେମ୍ବର ୨,୨୦୧୪ ଆଦେଶ ଅନ୍ତର୍ଗତ ଭାରତୀୟ ରେଳ ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ବାରା ସମନ୍ବୟ ଭିତ୍ତିକ ୧୬ଟି ବିଭିନ୍ନ ବିନ୍ଦୁ ଉପରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଉତ୍ତରରେ ଅବଗତ କରାଇଛନ୍ତି।
ରେଳ ଧାରଣାରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଅନ୍ତଃମନ୍ତ୍ରାଳୟ ବୈଠକ ନିୟମିତ ଅନୁଷ୍ଠିତ ହୋଇଛି ଏବଂ ସ୍ଥାୟୀ ସମନ୍ବୟ କମିଟି ଗଠନ କରାଯାଇଛି। ଏଥି ସହିତ ରେଳ ଧାରଣା ଆଡ଼େ ମୁହାଁଉଥିବା ହାତୀମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ପାଇଲଟ୍ ପ୍ରକଳ୍ପ ଅନ୍ତର୍ଗତ ଇଣ୍ଟେଲିଜେଣ୍ଟ୍ ଏଲିଫ୍ୟାଣ୍ଟ୍ ମୁଭମେଣ୍ଟ୍ ଡିଟେକସନ୍ ଆଣ୍ଡ ଆଲର୍ଟ ସିଷ୍ଟମ ରାଜାଜୀ ଟାଇଗର ରିଜର୍ଭରେ ଆରମ୍ଭ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗତ ମାସ ୨୩ ଓ ୨୪ ତାରିଖରେ ରେଳ ଅଧିକାରୀମାନଙ୍କ ପାଇଁ ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ, ଡେରାଡୁନ୍ରେ ହାତୀ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ରେଳ ଧାରଣାରେ ମୃତ୍ୟୁକୁ ହ୍ରାସ କରିବା ନେଇ ଆୟୋଜନ କରାଯାଇଥିବା କର୍ମଶାଳା ସଂପର୍କରେ ମଧ୍ୟ ମନ୍ତ୍ରୀ ଉତ୍ତରରେ ଅବଗତ କରାଇଛନ୍ତି।