‘ଆଇଏନ୍‌ଏସ୍‌ ବିଶାଖାପଟନମ୍‌’କୁ ନୌସେନାରେ ସାମିଲ କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: କବେଳ ନିଜ ଆବଶ୍ୟକତା ପାଇଁ ନୁହେଁ, ଭାରତ ସମଗ୍ର ବିଶ୍ବରେ ଥିବା ଦେଶମାନଙ୍କ ପାଇଁ ଆବଶ୍ୟକ ଜାହାଜ ନିର୍ମାଣ କରିପାରିବ, ଏଥିରେ ସନ୍ଦେହ ନାହିଁ ବୋଲି ଆଜି ଭାରତୀୟ ନୌସେନାରେ ‘ଆଇଏନ୍ଏସ୍‌ ବିଶାଖାପଟନମ୍‌’କୁ ସାମିଲ କରିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ମୁମ୍ବାଇସ୍ଥିତ ନୌସେନା ‘ଡକ୍‌ୟାର୍ଡ’ରେ ‘ଆଇଏନ୍ଏସ୍‌ ବିଶାଖାପଟନମ୍‌’କୁ ସାମିଲ କରାଯିବା ଅବସରରେ ସମବେତ ଜନତାଙ୍କୁ ସମ୍ବୋଧନ କରି ସିଂହ କହିଲେ ଯେ, ଭାରତ ନିୟମ ଆଧାରିତ, ଅବାଧ ପୋତ ଚଳାଚଳ ଏବଂ ସାର୍ବଜନୀନ ନିୟମାବଳୀ ଆଧରିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପରିକଳ୍ପନା କରିଛି। ସେଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶର ସ୍ବାର୍ଥ ସୁରକ୍ଷିତ ଅଛି।

Image Courtesy of News Live TV

ସିଂହ ଆହୁରି ମଧ୍ୟ କହିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିରାପତ୍ତାରେ ଭାରତ ଏକ ଗୁରୁତ୍ବପୂର୍ଣ୍ଣ ଦେଶ ହୋଇଥିବାରୁ ଭାରତୀୟ ନୌସେନାର ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି।

୨୦୨୩ ସୁଦ୍ଧା ସମଗ୍ର ବିଶ୍ବ ପାଇଁ ନିରାପତ୍ତା ବ୍ୟୟ ୨.୧ ଟ୍ରିଲିୟନ୍‌ ଡଲାର ହୋଇଯିବ ବୋଲି ପ୍ରକାଶିତ ରିପୋର୍ଟ କଥା ଦର୍ଶାଇ ପ୍ରତିରକ୍ଷା ମନ୍ତ୍ରୀ କହିଲେ, ଆପଣା ସାମର୍ଥ୍ୟର ସଂପୂର୍ଣ୍ଣ ସଦୁପଯୋଗ କରିବା ପାଇଁ ଭାରତ ଏବେ ପୂର୍ଣ୍ଣ ସୁଯୋଗ ପାଇଥିବାରୁ ଦେଶକୁ ଏକ ସ୍ବଦେଶୀ ଜାହାଜ ନିର୍ମାଣ ନାଭିଚକ୍ର (ହବ୍‌) କରିବାକୁ ଯାଉଛି।

ସୂଚନାଯୋଗ୍ୟ, ‘ପ୍ରୋଜେକ୍ଟ୍‌ ୧୫ବି’ରେ ‘ଆଇଏନ୍‌ଏସ୍‌ ବିଶାଖାପଟନମ୍’ ହେଉଛି ୪ଟି ‘ଷ୍ଟିଲ୍‌ଥ୍‌ ଗାଇଡେଡ୍‌-ମିସାଇଲ୍‌ ଡେଷ୍ଟ୍ରୟର୍‌’ ଜାହାଜରୁ ଗୋଟିଏ। ମାଜଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଏହାକୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରିଛି।

ସମ୍ବନ୍ଧିତ ଖବର