ପ୍ରଥମ ଥର ପାଇଁ କୃଷ୍ଣ ସାଗରରୁ ୟୁକ୍ରେନୀୟ ସାମରିକ ଘାଟିକୁ ଟାର୍ଗେଟ୍‌ କରି ‌ବୁଡ଼ାଜାହାଜରୁ କ୍ଷେପଣାସ୍ତ୍ର ନିକ୍ଷେପ କଲା ରୁଷ୍‌

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କୃଷ୍ଣ ସାଗରରୁ ୟୁକ୍ରେନୀୟ ସାମରିକ ଘାଟିକୁ ଟାର୍ଗେଟ୍‌ କରି ‌ ରୁଷ୍‌ ବୁଡ଼ାଜାହାଜରୁ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ‘ଇଣ୍ଟର୍‌ଫ୍ୟାକ୍ସ୍‌’ ନିଉଜ୍ ଏଜେନ୍‌ସି ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, କୃଷ୍ଣ ସାଗର ମଧ୍ୟରୁ ଗୋଟାଏ ଡିଜେଲ୍‌ ଚାଳିତ ବୁଡ଼ାଜାହାଜରୁ ରୁଷ୍‌ ‘କାଲିବର୍‌’ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦୀର୍ଘ ୬୬ ଦିନ ହେବ ଚାଲିଥିବା ଯୁଦ୍ଧରେ ପ୍ରଥମ କରି ମସ୍କୋ ୟୁକ୍ରେନ୍‌ ଆକ୍ରମଣରେ ବୁଡ଼ାଜାହାଜ ବ୍ୟବହାର କରିଥିବା କୁହାଯାଉଛି।

Image Courtesy of India Today

ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ରିଲିଜ୍‌ କରିଥିବା ଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପ ସମୟର ଭିଡିଓକୁ ସମ୍ବାଦ ସରବରାହ ସଂସ୍ଥାନ ‘ନେକ୍‌ଷ୍ଟା ଟିଭି’ ଟୁଇଟର୍‌ରେ ସେୟାର୍‌ କରିଛି।

ଭିଡିଓରେ ଦେଖାଯାଉଛି ସମୁଦ୍ର ମଧ୍ୟରୁ କାଲିବର୍‌ କ୍ଷେପଣାସ୍ତ୍ରର ସ୍ଫୁଲିଙ୍ଗ ଉଠି ଦିଗ୍‌ବଳୟ ଆଡ଼କୁ ଛୁଟିଯାଉଛି। ସେଗୁଡ଼ିକୁ ୟୁକ୍ରେନୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା କଥା ରୁ‌ଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

କ୍ରାଇମିଆରେ ରୁଷୀୟ ବୁଡ଼ାଜାହାଜରେ ଆଣବିକ ଅସ୍ତ୍ରବହନକାରୀ କ୍ଷେପଣାସ୍ତ୍ର ବୋଝେଇ ହେଉଥିବାର ଫଟୋ ଏପ୍ରିଲ୍‌୨୬ ତାରିଖ ଦିନ ସମ୍ବାଦ ସରବରାହ ସଂସ୍ଥାନ ‘ଦି ୟୁରେସିଆନ୍‌ ଟାଇମ୍ସ୍‌’ ରିପୋର୍ଟରେ ପ୍ରକାଶ ପାଇଥିଲା। କାଲିବର୍‌ କ୍ଷେପଣାସ୍ତ୍ରରେ ଉଭୟ ପାରମ୍ପରିକ ଏବଂ ଆଣବିକ ଅସ୍ତ୍ର ସଂଯୋଗ କରି ହେଉଥିବାରୁ ପୁଣି ଆଣବିକ ଆକ୍ରମଣର ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର