ଓବିଓଆର୍‌କୁ ଧକ୍କା: ଜଳଭଣ୍ଡାର ପାଇଁ ଚୀନ୍‌ର ସାହାଯ୍ୟକୁ ଅଗ୍ରାହ୍ୟ କଲା ପାକିସ୍ତାନ

ବେଜିଙ୍ଗ୍‌: ଦିଆମର୍‌-ଭାଶା ଜଳଭଣ୍ଡାର ନିର୍ମାଣ ନିମନ୍ତେ ଚୀନ୍‌ର ୧୪ ବିଲିୟନ୍‌ ଡଲାର୍‌ ସହାୟତାକୁ ପାକିସ୍ତାନ ଅଗ୍ରାହ୍ୟ କରି ଦେଇଛି ବୋଲି ଏକ ଅଗ୍ରଣୀ ପାକିସ୍ତାନୀ ଦୈନିକୀରେ ପ୍ରକାଶ ପାଇଛି।

୬୦ ବିଲିୟନ୍‌ ଡଲାର୍‌ ଚୀନ୍‌ ପାକିସ୍ତାନ ଇକୋନମିକ୍‌ କରିଡୋର୍‌ (ସିପିଇସି)ରୁ ସେ ପ୍ରକଳ୍ପକୁ ଉଠାଇ ନେବାକୁ ଇସ୍‌ଲାମାବାଦ ଚୀନ୍‌କୁ କହିଥିବା ଜଣାପଡ଼ିଛି। ତା’ଛଡ଼ା ଏହି ଜଳଭଣ୍ଡାରଟିକୁ ପାକିସ୍ତାନ ନିଜେ କରିବ ବୋଲି ଚୀନ୍‌ର ଅନୁମତି ଚାହିଁଛି। ସେ ଜଳଭଣ୍ଡାର ପ୍ରକଳ୍ପଟି ଭାରତ ଦାବି କରୁଥିବା ପାକ୍‌ ଅଧୀକୃତ କଶ୍ମୀରରେ ଅବସ୍ଥିତ।

ବିବାଦୀୟ ସ୍ଥଳରେ ଥିବାରୁ ଏଥି ନିମନ୍ତେ ଅର୍ଥ ଯୋଗାଇ ଦେବାକୁ ପୂର୍ବରୁ ଏସିଆନ୍‌ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ୍‌ ଅଗ୍ରାହ୍ୟ କରି ଦେଇଥିଲା। ଚୀନ୍‌ କମ୍ପାନି ଦ୍ୱାରା ଆଗତ କରାଯାଇଥିବା ଅତି କଠିନ ସର୍ତ୍ତାବଳୀ ସବୁ ଗ୍ରହଣ କରିବା ପରିବର୍ତ୍ତେ ପାକିସ୍ତାନ ନିଜ ଖର୍ଚରେ ସେ ପ୍ରକଳ୍ପ ନିର୍ମାଣ କରିବାକୁ ଚାହୁଁଛି ବୋଲି ଜଣେ ଶୀର୍ଷସ୍ତରୀୟ ପାକିସ୍ତାନୀ ଅଧିକାରୀ କହିଥିବା ସେଠାକାର ଏକ୍ସ୍‍ପ୍ରେସ୍‌ ଟ୍ରିବ୍ୟୁନ୍‌ ଶୀର୍ଷକ ଖବରକାଗଜ ପ୍ରକାଶ କରିଛି।

ପାକିସ୍ତାନ ସୂତ୍ରରୁ ଜଣାପଡ଼ିଛି ଯେ ଆନ୍ତର୍ଜାତିକ ଋଣଯୋଗାଳିମାନେ ପାଣ୍ଠି ନିମନ୍ତେ ସାଙ୍ଘାତିକ ସର୍ତ୍ତାବଳୀ ଉପସ୍ଥାପନ କରୁଛନ୍ତି। ମୂଳ ଅଟକଳ ୫ ବିଲିୟନ୍‌ ଡଲାର୍‌ରୁ ଏବେ ସେ ପ୍ରକଳ୍ପ ଅଟକଳ ୧୪ ବିଲିୟନ୍‌ ଡଲାର୍‌ରେ ପହଞ୍ଚି ଗଲାଣି।

ଜଳ ଏବଂ ଶକ୍ତି ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମୁଜାମ୍ମିଲ୍‌ ହୁସେନ୍‌ କହନ୍ତି: ଦିଆମର୍‌-ଭାଶା ଜଳଭଣ୍ଡାର ପାଇଁ ପାଣ୍ଠି ଯୋଗାଇବାକୁ ଚୀନୀୟ ସର୍ତ୍ତାବଳୀ ଆମ କ୍ଷମତା ବାହାରେ ଏବଂ ସ୍ୱାର୍ଥ ବିରୋଧୀ।

ସଂସଦର ପବ୍ଲିକ୍‌ ଆକାଉଣ୍ଟ୍‌ କମିଟିରେ ଏ କଥା କହିଛନ୍ତି ହୁସେନ୍‌। ସେ ଆହୁରି କହିଛନ୍ତି ଯେ ଜଳ ଭଣ୍ଡାର ନିର୍ମାଣ ପାଇଁ ଦେଶର ନିଜ ସମ୍ବଳରୁ ଅର୍ଥ ଯୋଗାଇ ଦେବା ନିମନ୍ତେ ଏକ ଯୋଜନାକୁ ପ୍ରଧାନମନ୍ତ୍ରୀ ଶାହିଦ୍‌ ଖାକନ୍‌ ଅବ୍ଦାସି ଅନୁମୋଦନ କରିଛନ୍ତି।

ପ୍ରଥମେ ଚୀନୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ନ କରି ପାକିସ୍ତାନ ଏ ଭଳି ନିଷ୍ପତ୍ତି ନେଇଥିବା ଖବର ବେଜିଙ୍ଗ୍‌ରେ ବିରାଟ ବିସ୍ମର ସୃଷ୍ଟି କରିଛି।
ବେଜିଙ୍ଗ୍‌ର ଜଣେ ଚୀନୀୟ ବିଶେଷଜ୍ଞ କହିଛନ୍ତି ସାମଗ୍ରିକ ଭାବେ ସିପିଇସିକୁ ପ୍ରଭାବିତ କରୁଥିବାରୁ ବେଜିଙ୍ଗ୍‌ର ଅଫର୍‌କୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିବା ଭଳି ନିଷ୍ପତ୍ତି ନେବା ବିପଜ୍ଜନକ ହୋଇପାରେ।

 

ସମ୍ବନ୍ଧିତ ଖବର