ପ୍ରଚୁର ବର୍ଷା, ଖାଦ୍ୟ ଓ ମାଛ ପାଇଁ କୁମ୍ଭୀରକୁ ବାହା ହେଲେ ମେକ୍ସିକୀୟ ମେୟର୍‌

ସାନ୍‌ ପେଡ୍ରୋ ହୁଆମେଲୁଲା: ପାରମ୍ପରିକ ଗୀତବାଦ୍ୟ ଓ ନୃତ୍ୟ ପରିବେଶଣ କରାଯାଇ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମେକ୍ସିକୋର ଛୋଟ ନଗରୀ ସାନ୍‌ ପେଡ୍ରୋ ହୁଆମେଲୁଲାର ମେୟର୍‌ ଗୋଟାଏ କୁମ୍ଭୀର କନ୍ୟାକୁ ବାହା ହୋଇଥିବା ‘ରଏଟର୍ସ’ ରିପୋର୍ଟ କରିଛି।

ଗୁରୁବାର ଦିନ ଆୟୋଜିତ ଉକ୍ତ ବିବାହ ଉତ୍ସବରେ ସାନ୍‌ ପେଡ୍ରୋ ହୁଆମେଲୁଲାର ମେୟର୍‌ ତଥା ବର ଭିକ୍ଟର୍‌ ହ୍ୟୁଗୋ ସୋସା ଥରକୁ ଥର ନଇଁପଡ଼ି ତାଙ୍କ ୭ ବର୍ଷୀୟ କୁମ୍ଭୀର-କନ୍ୟାର ଥୋମଣିରେ ଚୁମ୍ବନ ଦେଇଥିଲେ। ଚୁମ୍ବନ ଦେବା ବେଳେ କାଳେ କୁମ୍ଭୀରଟି କାମୁଡ଼ି ପକାଇବ, ସେଥିପାଇଁ ତା’ର ଥୋମଣିକୁ ବାନ୍ଧି ଦିଆଯାଇଥିଲା।

ମେକ୍ସିକୋ ଅନ୍ତର୍ଗତ ଓଆକ୍ସାକା ପ୍ରଦେଶର ଚୋଣ୍ଟାଲ୍‌ ଏବଂ ହୁଆଭେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ କୁମ୍ଭୀର-ବିବାହ ପ୍ରଥା ପ୍ରାକ୍‌-ହିସ୍‌ପାନିକ୍‌ ଯୁଗରୁ ଚଳି ଆସୁଛି। ଧନ-ଧାନ୍ୟ (ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ) କାମନା କରି ସେଠାରେ କୁମ୍ଭୀରକୁ ବାହାହେବାର ବିଧି ଅଛି।

ଓଆକ୍ସାକାର ‘ଷ୍ଟିମି ପେସିଫିକ୍‌’ ଉପକୂଳରେ ଥିବା କ୍ଷୁଦ୍ର ମାଛମରା ଗାଁର ମେୟର୍‌ ସୋସା କହିଛନ୍ତି, ଯଥେଷ୍ଟ ବର୍ଷା, ଯଥେଷ୍ଟ ଖାଦ୍ୟ ଓ ଆମ ନଦୀରେ ପ୍ରଚୁର ମାଛ ପାଇଁ ଆମେ ପ୍ରକୃତିକୁ କହିଲୁ।

ସାନ୍‌ ପେଡ୍ରୋ ହୁଆମେଲୁଲାର ଉକ୍ତ ଆଦିମ ପ୍ରଥା (କୁମ୍ଭୀର ବିବାହ) ଏବେ ‘କ୍ୟାଥୋଲିକ୍‌’ ଲୋକବିଶ୍ବାସରେ ମିଶି ଗଲାଣି। ଏହି ପ୍ରଥା ଅନୁସାରେ, କୁମ୍ଭୀରକୁ ଧଳା ବିବାହ ପୋଷାକ ଏବଂ ଅନ୍ୟାନ୍ୟ ରଙ୍ଗିନ ପୋଷାକ ପିନ୍ଧାଇ କନ୍ୟା ବେଶରେ ସଜାଇ ଦିଆଯାଏ।

ଟିକି ରାଜକୁମାରୀ କୁହାଯାଉଥିବା ମେୟର୍‌ ସୋସାଙ୍କ ୭ ବର୍ଷୀୟ କୁମ୍ଭୀର-କନ୍ୟାଟି ବସୁମତୀଙ୍କ ଚଳନ୍ତି ପ୍ରତିମା ବୋଲି ଲୋକମାନଙ୍କ ବିଶ୍ବାସ। ସ୍ଥାନୀୟ ନେତାଙ୍କ ସହ ତାଙ୍କର ବିବାହ ଅର୍ଥ ହେଲା ମାନବ ଓ ଈଶ୍ବରଙ୍କ ମଧ୍ୟରେ ସୁସମ୍ପର୍କ।

ତୂରୀ ଓ ବାଜା ବଜାଇ ସ୍ଥାନୀୟ ଲୋକେ କୁମ୍ଭୀର-କନ୍ୟାକୁ ହାତରେ ତୋଳି ଧରି ଗାଁ ଦାଣ୍ଡ ବାଟେ ବିବାହସ୍ଥଳୀକୁ ଯାଉଥିବା ବେଳେ ଦେଖଣାହାରୀ ଲୋକେ ନିଜ ନିଜର ଟୋପି ଓହ୍ଲାଇ ତାକୁ ବିଞ୍ଚି ଦେଉଥିଲେ।

ଏହି ବିବାହ ଆୟୋଜନ କରିଥିବା ଏଲିଆ ଏଡିଥ୍ ଔଗିଲାର ଓରଫ୍‌ ଧର୍ମମାତା କହିଛନ୍ତି, ଏ ବିବାହରେ ମୁଁ ଅତି ଆନନ୍ଦିତା ଓ ମୋର ଆଦିମ ପ୍ରଥା ପାଇଁ ଖୁବ୍‌ ଗୌରବାନ୍ବିତା।

ସମ୍ବନ୍ଧିତ ଖବର