ଆମେଥିରେ ତିନି ପିଢ଼ିର ହିସାବ ମାଗିଲେ ଶାହ-ଯୋଗୀ-ସ୍ମୃତି

ଲକ୍ଷ୍ନୌ:  ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି। ରାହୁଲ ଗାନ୍ଧୀ ଗୁଜରାଟରେ  ମୋଦି ସରକାର ଏବଂ ବିଜେପି ବିରୋଧରେ କଡ଼ା ସମାଲୋଚନା ଜାରି ରଖିଥିବା ବେଳେ ଆଜି  ରାହୁଲଙ୍କ ଗଡ଼ ଆମେଥିରେ କଂଗ୍ରେସ ବିରୋଧରେ ବିଜେପି ଗର୍ଜିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମେଥିରେ ଏକ ର‍୍ୟାଲିରେ ଉଦ୍‌୍‌ବୋଧନ ଦେଇ ଆମେଥି ପ୍ରତି କଂଗ୍ରେସର ‘ତିନି ପିଢ଼ି କରିଥିବା ଅନ୍ୟାୟ’ର ହିସାବ ମାଗିଛନ୍ତି। ବିଜେପି ଅଧ୍ୟକ୍ଷ ଶାହ  ଉତ୍ତର ପ୍ରଦେଶକୁ ୨୦୨୨ ସୁଦ୍ଧା ଗୁଜରାଟ ଭଳି ବିକଶିତ ରାଜ୍ୟ କରିବାକୁ ଘୋଷଣା କରିଛନ୍ତି। ଆମେଥିରେ ବିଜୟୀ ପ୍ରାର୍ଥୀ ଲୋକଙ୍କୁ ପ୍ରତରଣା କରିଥିବା ବେଳେ ପରାଜିତ ପ୍ରାର୍ଥୀ ଲୋକଙ୍କ ସୁଖଦୁଃଖରେ ଭାଗୀ ହେଉଛନ୍ତି ଏବଂ ବିକାଶ ତ୍ୱରାନ୍ଵିତ କରିବାକୁ ଅହରହ ଉଦ୍ୟମ କରୁଛନ୍ତି ବୋଲି ଶାହ କହିଥିଲେ।  ମୋଦି ସରକାରଙ୍କୁ ୩  ବର୍ଷର ହିସାବ ମାଗୁଥିବା କଂଗ୍ରେସ ୩ ପିଢ଼ିର ହିସାବ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଥିଲେ ଯେ ରାହୁଲ ଇଟାଲିର ଚଷମା ଲଗାଇ ଭାରତକୁ ଦେଖୁଛନ୍ତି ଏବଂ କଂଗ୍ରେସ ବିକାଶର ଶତ୍ରୁ ପାଲଟିଯାଇଛି ।  ରାଜୀବ ଗାନ୍ଧୀ ଫାଉଣ୍ଡେସନ ନାମରେ କଂଗ୍ରେସ ବେଆଇନ ଭାବେ ଜମି ଅକ୍ତିଆର କରିଛି ବୋଲି ଯୋଗୀ ଅଭିଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି  କହିଥିଲେ ଯେ ରାହୁଲ ଗାନ୍ଧୀ ସାରା ଦେଶରେ ବୁଲି କେଉଁଠି କିଛି ବିକାଶ ହେଉନାହିଁ ବୋଲି କହୁଥିବା ବେଳେ ନିଜ ସଂସଦୀୟ କ୍ଷେତ୍ରର ବିକାଶ ପ୍ରତି ସାମାନ୍ୟ ଧ୍ୟାନ ଦେଉନାହାନ୍ତି।

ସମ୍ବନ୍ଧିତ ଖବର