ଅଯୋଧ୍ୟା ଗସ୍ତରେ ଉଦ୍ଧବ ଠାକରେ, ମନ୍ଦିର ନିର୍ମାଣ ଲାଗି କୋଟିଏ ଟଙ୍କା ଦାନ କଲେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶନିବାର ଦିନ ଅଯୋଧ୍ୟା ଗସ୍ତ କରିବା ସହ ସେଠାରେ ନିର୍ମାଣ ହେବାକୁ ଯାଉଥିବା ରାମ ମନ୍ଦିର ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି । ତେବେ କରୋନା ଭାଇରସ ଜନିତ କଟକଣା ପାଇଁ ସେ ସରଜୁ ନଦୀରେ ଅନୁଷ୍ଠିତ ଆରତୀ କାର୍ଯ୍ୟକ୍ରମରେ ଯୋଗଦେଇନାହାନ୍ତି ।

ସେ କହିଛନ୍ତି ଯେ ଶିବସେନା ବିଜେପିଠାରୁ ଅଲଗା ହୋଇଯାଇଛି ସତ, କିନ୍ତୁ ହିନ୍ଦୁତ୍ୱକୁ ଛାଡ଼ିନାହିଁ । ମହାରାଷ୍ଟ୍ର ରେ ଚାଲିଥିବା ମହା ବିକାଶ ଅଗାଢି ସରକାରର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ସେ ଅଯୋଧ୍ୟା ଗସ୍ତ କରିଥିବା ଜଣାଯାଇଛି । ଆଜି ମଧ୍ୟ ଶିବସେନା ମୁଖପତ୍ର ସାମନାରେ ବିଜେପିକୁ ସମାଲୋଚନା କରି କୁହାଯାଇଛି ଯେ ଭଗବାନ ରାମ ଓ ହିନ୍ଦୁତ୍ୱ ଉପରେ କୌଣସି ଗୋଟିଏ ଦଳର ଏକଚାଟିଆ ଅଧିକାର ନାହିଁ । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଯେଉଁମାନେ ମାତ୍ର ୮୦ ଘଣ୍ଟାର ସରକାର ଗଢିଥିଲେ ସେମାନେ କହୁଥିଲେ ଯେ ତାଙ୍କ ସରକାର ୧୦୦ ଘଣ୍ଟା ମଧ୍ୟ ତିଷ୍ଠିବ ନାହିଁ । କିନ୍ତୁ ଏହି ସରକାର ତିଷ୍ଠିବା ସହ ଲୋକଙ୍କ ମନରେ ଭରସା ସୃଷ୍ଟି କରିପାରିଛି । ତେବେ ସାମନାରେ କୁହାଯାଇଛି ଯେ ଉଦ୍ଧବ ଭଗବାନ ରାମଙ୍କ ପ୍ରତି ଶ୍ରଦ୍ଧା ଯୋଗୁଁ ଅଯୋଧ୍ୟା ଯାଇଛନ୍ତି ।

ସମ୍ବନ୍ଧିତ ଖବର