କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ଘଟଣା: ଆଉ ୩ଜଣଙ୍କୁ ଗିରଫ କଲା ପୁଲିସ, ଶୁକ୍ରବାର ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

ବେଙ୍ଗାଲୁରୁ: ରବିବାର ବଜରଙ୍ଗ ଦଳର ଜଣେ ୨୩ ବର୍ଷିୟ କର୍ମୀଙ୍କୁ ଛୁରିଭୁସି ହତ୍ୟା କରାଯାଇଥିଲା। ଆଜି ଏହିି ଘଟଣା ସହ ଜଡ଼ିତ ଆଉ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣାକୁ ନେଇ ଗତକାଲିି ପ୍ରତିବାଦ ପ୍ରଦର୍ଶନ କରି ଶିବମୋଗ୍ଗାରେ ସ୍ଥାନୀୟ ଲୋକେ ଯାନବାହନ ପୋଡ଼ାଜଳା କରିବା ସହ ଟେକାପଥର ଫିଙ୍ଗିଥିଲେ। ଅଭିଯୁକ୍ତକୁ ଦଣ୍ଡ ଦେବା ପାଇଁ ଦାବି ଜୋର ଧରିଥିବା ବେଳେ ଗତକାଲି ୩ଜଣଙ୍କୁ ଗିରଫ କରିଥିଲା ପୁଲିସ। କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଥିଲେ ଯେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ତେବେ ଆଜି ଆଉ ୩ଜଣଙ୍କୁ ଗିରଫ କରାଯିବା ପରେ ମୋଟ ୬ଜଣ ପୁଲିସ କବଜାକୁ ଆସିଛନ୍ତି।

ଗିରଫ ୬ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରୁଜୁ ଥିବା ବେଳେ ଆଜି ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ହତ୍ୟା ଆରୋପୀ ବୋଲି ଜଣାପଡ଼ିଛି। ୬ଜଣଙ୍କୁ ଗିରଫ ସହ ପଚରାଉଚରା ପାଇଁ ପୁଲିସ ୧୨ଜଣଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ ପରିସ୍ଥିତିକୁ ଦେଖି ଶିବାମୋଗ୍ଗାରେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ତେବେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ପତ୍ନୀ କହିଛନ୍ତି ଯେ, ମ‌ୋ ସ୍ବାମୀ ଛୁଆ ପାଇଁ ଡାଏପର କିଣିବାକୁ ସନ୍ଧ୍ୟା ୮ଟାରେ ଘରୁ ବାହାରିଥିଲେ। ଫେରୁ ଫେରୁ ରାତି ୧୧ଟା ହୋଇଯାଇଥିଲା। ସେ ଘରେ ପହଞ୍ଚିବାର କିଛି ସମୟ ପରେ ପୁଲିସ ଆସି ତାଙ୍କୁ ଉଠାଇ ନେଇଥିଲା।

ଗତକାଲି କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଥିଲେ ଯେ, ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତଦନ୍ତ ପରେ ଏଭଳି କରିବା ପଛର କାରଣ ସାମ୍ନାକୁ ଆସିପାରିବ। ଶିବମୋଗ୍ଗାରେ ହୋଇଥିବା ହିଂସା ପରେ ଏହି ଅଞ୍ଚଳରେ ୧୨୦୦ ଅତିରିକ୍ତ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବେଙ୍ଗାଲୁରୁରୁ ୨୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ପଠାଯାଇଛି।

ଉଲ୍ଲେଖଯୋଗ୍ୟ,  ରବିବାର ରାତିରେ ଜଣେ ୨୩ ବର୍ଷୀୟ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଆହତ ଅବସ୍ଥାରେ ହର୍ଷ ନାମକ ଉକ୍ତ ବଜରଙ୍ଗ ଦଳ କର୍ମୀଙ୍କୁ ମ୍ୟାକ୍‌ ଗାନ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ ସେଠ‌ାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର