ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଧରି ୫୦ ମିଟର ଦୌଡ଼ିଗଲା ବଣୁଆ ହାତୀ

ପୁରୁଲିଆ: ପଶ୍ଚିମବଙ୍ଗର ପୁରୁଲିଆ ଠାରେ ବାହାରେ ମଳତ୍ୟାଗ କରୁଥିବା ଜଣେ ବ୍ୟକ୍ତିଙ୍କୁ ବୁଧବାର ଦିନ ଗୋଟାଏ ବଣୁଆ ହାତୀ ଥୋଡ଼ପାହଡ଼ରେ ଧରି ୫୦ ମିଟର ଦୌଡ଼ିଯିବା ପରେ ବିଲରେ ଫିଙ୍ଗି ଦେଇ ବଣ ଭିତରେ ଅଦୃଶ୍ୟ ହୋଇ ଯାଇଥିଲା।

ଘଟଣାଟି ବୁଧବାର ଭୋର୍‌ ୪ଟାରେ ଘଟିଛି।

ବନ କର୍ମଚାରୀମାନେ ଆସି ତାଙ୍କୁ ପ୍ରଥମେ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଡାକ୍ତରଖାନାକୁ ନେବା ପର୍ଯ୍ୟନ୍ତ ୫୫ ବର୍ଷିୟ ନିରଞ୍ଜନ ସହିଶ ନାମକ ସେ ବ୍ୟକ୍ତିଜଣକ ବିଲରେ ପଡ଼ିରହିଥିଲେ। ତାଙ୍କ ଗୋଡ଼ରେ ଓ ପିଠିରେ ଆଘାତ ଲାଗିଥିଲେ ବି ସେ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଛନ୍ତି। ସହିଶ କହନ୍ତି ଯେ ଖାଦ୍ୟ ଅନେ୍ଵଷଣରେ ହାତୀ ଗାଁ’ରେ ପଶିଥିଲା, କିନ୍ତୁ ତାଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲା।

ଅନ୍ୟମାନଙ୍କ କହିବା ଅନୁସାରେ, ପୁରୁଲିଆର ଅନ୍ତର୍ଗତ ଅଯୋଧ୍ୟା ପର୍ବତ ପାଖ ଘାଟବେରା ଗାଁରେ ନିଜ ଘରୁ ସହିଶ ବାହାରି ପାଖ ପଡ଼ିଆକୁ ମଳତ୍ୟାଗ କରିବାକୁ ଯାଇଥିଲା।

ହାତୀ ଆସୁଥିବା କଥା ସେ ଶୁଣିଥିଲେ, କିନ୍ତୁ ହାତୀ କେତେ ବେଳେ ଆସି ତାଙ୍କୁ ଶୁଣ୍ଢରେ ଧରି ପକାଇଲାଣି ସେ ଜାଣି ପାରି ନ ଥିଲେ।

ସେ କହନ୍ତି: ମୁଁ ମରିଯିବି ଭାବି ଠାକୁରଙ୍କୁ ଡାକୁଥିଲି। ହାତୀ ମତେ ତଳେ ପକାଇ ଦେଲା ପରେ ମୋ ଭାଗ୍ୟକୁ ବିଶ୍ୱାସ କରି ପାରୁ ନ ଥିଲି। ବଳରାମ ଫରେଷ୍ଟ୍‍ ରେଞ୍ଜ୍‌ର ସୁବିନୟ ପଣ୍ଡା କହନ୍ତି: ଗାଁ ବାଟେ ହାତୀ ଯାତାୟାତ କରୁଛନ୍ତି। ବଣ ପାଖକୁ ନ ଯିବା ପାଇଁ ଆମେ ବରାବର ଲୋକମାନଙ୍କୁ କହୁଛୁ।

ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହନ୍ତି, ବାହାରେ ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବାକୁ ଆମେ ଲୋକମାନଙ୍କୁ ଚେତାଇ ଆସୁଛୁ।

ସମ୍ବନ୍ଧିତ ଖବର