ବେଙ୍ଗାଲୁରୁରେ ମାସକରେ କୋଭିଡ୍‌ ମୃତ୍ୟୁ ଦୁଇଗୁଣା

ବେଙ୍ଗାଲୁରୁ(କର୍ଣ୍ଣାଟକ): କର୍ଣ୍ଣାଟକର ରାଜଧାନୀ ସହର ବେଙ୍ଗାଲୁରୁ ୫ ହଜାର କୋଭିଡ୍‌ ମୃତ୍ୟୁ ପାଇଁ ୧୩ ମାସ କାଳ ନେଇଥିବା ବେଳେ ଗତ ମାସକ ଭିତରେ ମୃତକଙ୍କ ସଂଖ୍ୟା ଦ୍ବିଗୁଣିତ ହେବା ଚିନ୍ତାର ବିଷୟ ହୋଇଛି। ଏଥିରୁ ସେଠାରେ ସଂକ୍ରମଣର ଅତିଶୟତା ସ୍ପଷ୍ଟ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ସଂଖ୍ୟାଧିକ ୪୯ ବର୍ଷରୁ କମ୍‌ ବୟସର ରହିଥିବା ସୂଚନା ଚିକିତ୍ସାବିତ୍‌ଙ୍କ ପାଇଁ ଅନ୍ୟତମ ଗମ୍ଭୀରତା ଆଣିଦେଇଛି। ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁରେ ଗତ ୩୦ ଦିନ ଭିତରେ ମୃତ୍ୟୁହାର ୯୫ ପ୍ରତିଶତ ବଢ଼ିଛି।

ମାସକ ତଳେ ସେଠାରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୩୪ ଥିବା ବେଳେ ଗତ ମଙ୍ଗଳବାର ଏହା ୧୦,୦୧୨ରେ ପହଞ୍ଚିଛି। ତେବେ ଏହି ୩୦ ଦିନ ଭିତରେ ପ୍ରାଣ ହରାଇଥିବା ୪,୯୭୦ ଜଣଙ୍କ ଭିତରୁ ପ୍ରାୟ ଏକ ପଞ୍ଚମାଂଶ ବା ୧,୦୯୦ ଜଣ ୪୯ ବର୍ଷରୁ କମ୍‌ ବୟସର ଥିବା ଜଣାଯାଇଛି। କୌଣସି ପ୍ରକାର ସ୍ବତନ୍ତ୍ର ପ୍ରଜାତିର କରୋନାଭୂତାଣୁ ଯୁବବର୍ଗଙ୍କୁ ବେଶୀ ଆକ୍ରାନ୍ତ କରୁଛି କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ରାଜ୍ୟ କୋଭିଡ୍‌ କ୍ରିଟିକାଲ୍‌ କେୟାର ସପୋର୍ଟ ଗ୍ରୁପ୍‌ର ସଦସ୍ୟ ତଥା ବାର୍ଦ୍ଧକ୍ୟରୋଗ ବିଶେଷଜ୍ଞ ଡା. ଅନୂପ ଅମରନାଥ କହିଛନ୍ତି।

ସମ୍ବନ୍ଧିତ ଖବର