ଜିତିଲେ କେଜ୍ରିଓ୍ଵାଲ୍‌ : ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ; ସ୍ୱାଧୀନ ନିଷ୍ପତ୍ତି ନେବାର କ୍ଷମତା ଉପରାଜ୍ୟପାଳଙ୍କର ନାହିଁ

ମନ୍ତ୍ରିମଣ୍ଡଳ ସୁପାରିସ ମାନିବାକୁ ବାଧ୍ୟ, ସବୁ କଥାରେ ଉପରାଜ୍ୟପାଳଙ୍କ ସହମତି ଜରୁରି ନୁହେଁ

ନୂଆଦିଲ୍ଲୀ : ଦିଲ୍ଲୀରେ କାହାର ଶାସନ ଚାଲିବ ଏବଂ କିଏ ପ୍ରକୃତରେ କ୍ଷମତାଶାଳୀ, ତାହାକୁ ନେଇ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦର ଅନ୍ତ ଘଟିଛି। ଏ ନେଇ ସୁପ୍ରିମ୍‌କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କହିଛନ୍ତି ଯେ ପ୍ରଚଳିତ ସାମ୍ବିଧାନିକ ବ୍ୟବସ୍ଥାରେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ମିଳିପାରିବ ନାହିଁ। ତେବେ ଦିଲ୍ଲୀର ନିର୍ବାଚିତ ସରକାରଙ୍କର ହିଁ ପ୍ରକୃତ କ୍ଷମତା ରହିଛି। ସରକାରୀ କାର୍ଯ୍ୟରେ ଉପରାଜ୍ୟପାଳ ବାଧା ସୃଷ୍ଟି କରିପାରିବେ ନାହିଁ। ରାଜ୍ୟ ମନ୍ତ୍ରିମଣ୍ଡଳର ପରାମର୍ଶକ୍ରମେ ହିଁ କାର୍ଯ୍ୟ କରିବେ ଏବଂ ସେ ସ୍ୱାଧୀନ ଭାବେ କୌଣସି ପଦକ୍ଷେପ ନେଇପାରିବେ ନାହିଁ। କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଉପରାଜ୍ୟପାଳ ରାଜ୍ୟପାଳ ନୁହନ୍ତି, ସେ ହେଉଛନ୍ତି ପ୍ରଶାସକ ଯାହାର କ୍ଷମତା ସୀମିତ।

ସୁପ୍ରିମ କୋର୍ଟଙ୍କ ଏହି ରାୟ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପାଇଁ ବଡ଼ ଧରଣର ଜିତାପଟ ବୋଲି କୁହାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳଙ୍କୁ ଝଟକା ହୋଇଛି। ଗତ ତିନି ବର୍ଷ ଧରି କେଜ୍ରିଓ୍ଵାଲ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିଲା। ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଂଚିଥିଲା। ମାତ୍ର ହାଇକୋର୍ଟ ଉପରାଜ୍ୟପାଳଙ୍କ ସପକ୍ଷରେ ରାୟ ଦେଇଥିଲେ। ତେବେ ସୁପ୍ରିମ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସମ୍ବିଧାନ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି, ଗଣତନ୍ତ୍ରରେ ନିର୍ବାଚିତ ସରକାରଙ୍କର ପ୍ରକୃତ କ୍ଷମତା ରହିଛି। ସରକାର ଯାହା କିଛି ନିଷ୍ପତ୍ତି ନେବେ ତାହା ରାଜ୍ୟରେ କାର୍ଯ୍ୟକାରୀ ହେବ ଏବଂ ସମସ୍ତେ ଏହାକୁ ମାନିବାକୁ ବାଧ୍ୟ। ଅନ୍ୟପକ୍ଷରେ କ୍ୟାବିନେଟ୍‌ କୌଣସି ନିଷ୍ପତ୍ତି ନେବା ସମୟରେ ଏ ନେଇ ଉପରାଜ୍ୟପାଳଙ୍କ ପରାମର୍ଶ ଆଣିପାରିବେ ବା ଏ ନେଇ ଅନୁମୋଦନ ଲୋଡ଼ିପାରିବେ। ଉପରାଜ୍ୟପାଳ ସରକାରଙ୍କ ନିଷ୍ପତ୍ତିରେ ସହଯୋଗ କରିବେ। କିନ୍ତୁ ସବୁ କଥାରେ ଉପରାଜ୍ୟପାଳଙ୍କ ମଞ୍ଜୁରିର ଆବଶ୍ୟକତା ନାହିଁ। ଉପରାଜ୍ୟପାଳ କୌଣସି କ୍ଷେତ୍ରରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ନାହିଁ କି କୌଣସି କ୍ଷେତ୍ରରେ ‘ଅବରୋଧକ’ ସାଜିପାରିବେ ନାହିଁ। ତେବେ ଯଦି ସେ କିଛି ନିଷ୍ପତ୍ତି ନେବାକୁ ଚାହାନ୍ତି ଏଥିପାଇଁ ରାଜ୍ୟ କ୍ୟାବିନେଟ୍‌ର ପରାମର୍ଶ ଲୋଡ଼ିବେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀ ଏ ପର୍ଯ୍ୟନ୍ତ ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ହୋଇପାରି ନାହିଁ। ତେଣୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଦୃଷ୍ଟିରୁ ଏଠାରେ କେନ୍ଦ୍ର ସରକାରଙ୍କର ୩ଟିି କ୍ଷେତ୍ରରେ କ୍ଷମତା ରହିବ। ଜମି, ପୁଲିସ ବାହିନୀ ଏବଂ ଆଇନ ଶୃଙ୍ଖଳା ଉପରାଜ୍ୟପାଳ (ଏଲ୍‌୍‌ଜି)ଙ୍କ ତତ୍ତ୍ୱାବଧାନରେ ରହିବ ଏବଂ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ। ଆପ୍‌ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଅର୍ଥାତ୍‌ ଉପରାଜ୍ୟପାଳ ଏହି ପ୍ରସଙ୍ଗରେ ନିଜ କ୍ଷମତାର ବ୍ୟବହାର କରିପାରିବେ।

ଉଲ୍ଲେଖଯୋଗ୍ୟ, ୨୦୧୬ ଅଗଷ୍ଟ ୪ରେ ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ଵାଲ୍‌ ସରକାରଙ୍କ ବିରୋଧରେ ରାୟ ଶୁଣାଇଥିଲେ। ଏହାପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉପରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତାକୁ ନେଇ ଟଣାଓଟରା ଲାଗିରହିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ନିଷ୍ପତ୍ତିକୁ ଉପରାଜ୍ୟପାଳ ମଞ୍ଜୁରି ନ ଦେଇ ଏହାକୁ ଦୀର୍ଘଦିନ ଧରି ପକାଇ ରଖୁଥିବା ଅଭିଯୋଗ ହେଉଥିଲା। ଏଥିରେ ଅତିଷ୍ଠ ହୋଇ ନିକଟରେ କେଜ୍ରିଓ୍ଵାଲ୍‌ ଉପରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ଅନଶନ ବି କରିଥିଲେ। ତେବେ ଆଜିର ରାୟ ଆପ୍‌ ସରକାରଙ୍କ ପାଇଁ ଏକ ବଡ଼ ବିଜୟ ସାବ୍ୟସ୍ତ ହୋଇଛି ଏବଂ ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ଉତ୍ସବ ମନାଉଛନ୍ତି।

ଇତିମଧ୍ୟରେ ମିଳିଥିବା ଖବର ଅନୁଯାୟୀ ରାୟର ପୁନର୍ବିଚାର କରିବା ଲାଗି କେନ୍ଦ୍ର ସରକାର ସୁପ୍ରିମ କୋର୍ଟ ଯିବାକୁ ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର