୧୮ମାସରେ ୮ଟି ପିଲା ଜନ୍ମ କରିଛନ୍ତି ୬୫ବର୍ଷିୟ ବୃଦ୍ଧା !

ମୁଜାଫରପୁର: ସାଧାରଣତଃ ଶିଶୁଟି ମା’ ପେଟରେ ୧୦ମାସ ୧୦ଦିନ ରହିବା ପରେ ଜନ୍ମଗ୍ରହଣ କରିଥାଏ | କିନ୍ତୁ ବିହାରରେ ଏହାର ଠିକ ଓଲଟା ଘଟିଛି | ୬୫ବର୍ଷରେ ପାଦ ଦେଇ ମଧ୍ୟ ଜଣେ ବୃଦ୍ଧା ୧୮ମାସରେ ୮ଟି ନବଜାତକୁ ଜନ୍ମ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ଏହା କିଭଳି ସମ୍ଭବ ବୋଲି ସମସ୍ତେ ଭାବୁଛନ୍ତି | ହେଲେ ଅସଲ କଥା ଜାଣିବା ପରେ ସମସ୍ତେ ବିଶ୍ୱାସ କରୁଛନ୍ତି | ସରକାରୀ କାଗଜପତ୍ରରେ ଆଜିକାଲି ସବୁ ସମ୍ଭବ | ମୃତକୁ ଜୀବିତ ଦେଖାଇ ଲୋକେ ଭତ୍ତା ନେଉଥିବାର ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ବିହାରରେ ଜଣେ ବୃଦ୍ଧା ୧୮ମାସରେ ୮ଟି ନବଜାତକୁ ଜନ୍ମ ଦେଇଥିବା ସରକାରୀ ରେକର୍ଡରେ ଲେଖା ଯାଇଛି | ଟଙ୍କା ଆଶାରେ କେହି ଜଣେ ଏଭଳି କରିଥିବା ସାମ୍ନାକୁ ଆସିଛି |

ସୂଚନା ମୁତାବକ, ମୁଜାଫରପୁର ଜିଲ୍ଲାରେ ରହୁଥିବା ଲୀଲା ଦେବୀ ୨୧ ବର୍ଷ ତଳେ ନିଜର ଚତୁର୍ଥ ସନ୍ତାନକୁ ଜନ୍ମ ଦେଇଥିଲେ | ସେ ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ଥିବା ଜାତୀୟ ମାତୃତ୍ୱ ସୁବିଧା ଯୋଜନା (ଏନଏମବିଏସ) ର ଅନେକ ହିତାଧିକାରୀଙ୍କ ମଧ୍ୟରୁ ଜଣେ | ନିଜର ୪ଟି ସନ୍ତାନ ପାଇଁ ତାଙ୍କୁ ଏନଏଚଏମ ଅଧୀନରେ ୧,୪୦୦ ଟଙ୍କା ଦିଆଯାଇଥିଲା | କିନ୍ତୁ ୨୧ବର୍ଷ ପରେ ଏବେ ସେ ସନ୍ତାନ ଜନ୍ମ ନ କରି ମଧ୍ୟ ତାଙ୍କ ନାଁରେ ଟଙ୍କା ଅଣାଯାଇଥିବା ସାମ୍ନାକୁ ଆସିଛି | ୧୮ମାସରେ ୮ଟି ସନ୍ତାନଙ୍କୁ ଜନ୍ମ ଦେଇଥିବା ଦର୍ଶାଯାଇ ତାଙ୍କ ନାଁ ରେ ଟଙ୍କା ଆସିବା ସହ ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଇ ନିଆଯାଇଛି |

Kidspot

ଏ ବିଷୟରେ ଲୀଲା ଦେବୀଙ୍କୁ ସୂଚନା ମିଳିବା ପରେ ପ୍ରକୃତ ଘଟଣା ଜାଣିବା ପାଇଁ ସେ ଗ୍ରାହକ ସେବା ଅପରେଟରକୁ କଲ କରିଥିଲେ | ନିଜ ଆକାଉଣ୍ଟ ବିଷୟରେ ପଚାରିବା ପରେ ଅପରେଟର ଜଣଙ୍କ ପୁଲିସରେ ଅଭିଯୋଗ ନ କରିବାକୁ କହିବା ସହ ଉଠା ଯାଇଥିବା ଟଙ୍କା ତାଙ୍କୁ ଫେରାଇ ଦିଆଯିବ ବୋଲି କହିଥିଲେ | ତେବେ କେବଳ ଲୀଲା ନୁହନ୍ତି, ଅନେକଙ୍କ ନାଁରେ ଏଭଳି ମିଛ ତଥ୍ୟ ଦିଆଯାଇ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ଟଙ୍କା ଅଣାଯାଉଥିବା ଖବର ସାମ୍ନାକୁ ଆସିଛି, ଯାହାର ତଦନ୍ତ ଏବେ ଆରମ୍ଭ ହୋଇଛି |

ସମ୍ବନ୍ଧିତ ଖବର