ପ୍ରଥମ ପର୍ଯ୍ୟାୟ ବିହାର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୩୭୫ ଜଣ କୋଟିପତି ଓ ୩୨୮ ଜଣ ଅପରାଧିକ ମାମଲା ଥିବା ପ୍ରାର୍ଥୀ: ରିପୋର୍ଟ

ନୂଆଦିଲ୍ଲୀ: ବିହାର ରାଜ୍ୟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ କୋଟିପତି ଓ ୩୨୮ ଜଣ ଅପରାଧିକ ମାମଲା ଥିବା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା କଥା ‘ଆସୋସିଏସନ୍‌ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍‌’ (ଏଡିଆର୍‌) ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି। ୧୦୬୪ ପ୍ରାର୍ଥୀଙ୍କ ସତ୍ୟପାଠ ଅନୁଶୀଳନ କରି ‘ଏଡିଆର୍‌’ ଏହାର ରିପୋର୍ଟ ପ୍ରସ୍ତୁତ କରିଛି।

‘ଏଡିଆର୍‌’ ରିପୋର୍ଟ ଅନୁସାରେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଅଧିକ ଅପରାଧିକ ମାମଲା ଥିବା ପ୍ରାର୍ଥୀ ଦେଇଛି ତେଜସ୍ବୀ ଯାଦବଙ୍କ ‘ଆର୍‌ଜେଡି’। ତା’ ପଛକୁ ରହିଛି ବିଜେପି। ବିହାର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ‘ଆର୍‌ଜେଡି’ର ୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ଏବଂ ବିଜେପି ୨୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି।

Image Courtesy of Amar Ujala

ସେହିଭଳି ଅନ୍ୟ ପ୍ରମୁଖ ରାଜନୈତିକ ଦଳମାନେ ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଚିରାଗ ପାସୱାନଙ୍କ ‘ଏଲ୍‌ଜେପି’ର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ, କଂଗ୍ରେସର ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ଜଣ, ଜେଡି(ୟୁ)ର ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ଜଣ, ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବା କଥା ସତ୍ୟପାଠରେ ‌ଦର୍ଶାଇଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କୋଟିପତି ପ୍ରାର୍ଥୀମାନଙ୍କ ମଧ୍ୟରୁ ୯୩ ଜଣଙ୍କ ପାଖରେ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା କଥା ଉଲ୍ଲେଖ କରିଥିବା ବେଳେ ୧୨୩ ଜଣଙ୍କ ପାଖରେ ୧ କୋଟି ଟଙ୍କାରୁ ୫ କୋଟି ଟଙ୍କା ମଧ୍ୟରେ ସମ୍ପତ୍ତି ଥିବା କଥା ଦର୍ଶାଇଛନ୍ତି।

‘ଆର୍‌ଜେଡି’ର ୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୯ ଜଣଙ୍କର ସମ୍ପତ୍ତି ୧ କୋଟିରୁ ଅଧିକ ହେବ ବୋଲି ଦର୍ଶାଇଛନ୍ତି। ଜେଡିୟୁର ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୧ଜଣ, ବିଜେପିର ୩୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ଜଣ, ଏଲ୍‌ଜେପିର ୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ଜଣ, କଂଗ୍ରେସର ୨୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ଜଣ, ବିଏସ୍‌ପିର ୨୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣଙ୍କ ପାଖରେ ମଧ୍ୟ ୧ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.