ପାଟନା: ବିହାରରେ ଲୋକସଭା ନିର୍ବାଚନ ପାଇଁ ଏନ୍ଡିଏର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିଜେପି ୧୭ଟି ଆସନରେ, ନୀତୀଶ କୁମାରଙ୍କ ଜେଡିୟୁ ୧୬ଟି ଆସନରେ ଏବଂ ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ୫ଟି ଆସନରେ ଲଢ଼ିବ। ରାଜ୍ୟରେ ଏନ୍ଡିଏ ମେଣ୍ଟର ଅନ୍ୟ ସହଯୋଗୀ ଦଳ ହାମ୍ (ହିନ୍ଦୁସ୍ତାନ ଆୱାମୀ ଲିଗ୍) ଏବଂ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍ଏଲ୍ଏସ୍ପି) ଗୋଟିଏ ଲେଖାଏଁ ଆସନରେ ଲଢ଼ିବେ। ତେବେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସଙ୍କ ଏଲ୍ଜେପି ଶାଖା ସଂପର୍କରେ କୌଣସି ଉଲ୍ଲେଖ କରାଯାଇ ନାହିଁ।
ବିଜେପି ପାଖରେ ଯେଉଁସବୁ ଲୋକସଭା ଆସନ ରହିଛି ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା ପଶ୍ଚିମ ଚମ୍ପାରଣ, ପୂର୍ବି ଚମ୍ପାରଣ, ଔରଙ୍ଗାବାଦ, ମଧୁବନୀ, ଦରଭଙ୍ଗା, ମୁଜାଫରପୁର, ମହାରାଜଗଞ୍ଜ, ସରନ, ବେଗୁସରାଇ, ନୱଡ଼ା, ପାଟନା ସାହିବ, ପାଟଳୀପୁତ୍ର, ଆରାରା, ବକ୍ସାର ଏବଂ ସାସାରାମ। ସେହିଭଳି ଜେଡିୟୁ ବାଲ୍ମିକୀନଗର, ସୀତାମାଢ଼ୀ, ଝଞ୍ଝାପୁର, ସୁପଲ, କିଷାନଗଞ୍ଜ, କଟିହାର, ପୂର୍ଣ୍ଣିଆ, ମାଧେପୁରା, ଗୋପାଳଗଞ୍ଜ, ସିୱାନ, ଭାଗଲପୁର, ବାଙ୍କା, ମୁଙ୍ଗେର, ନାଳନ୍ଦା, ଜେହାନାବାଦ ଏବଂ ସେଓହାର ଆସନରେ ନିର୍ବାଚନ ଲଢ଼ିବ। ଚିରାଗ ପାଶ୍ବାନଙ୍କ ଏଲଜେପି ବୈଶାଳୀ, ହାଜିପୁର, ସମସ୍ତିପୁର, ଖଗରିୟା ଏବଂ ଜାମୁଇ ଆସନରେ ଲଢ଼ିବ। ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ସାଧାରଣ ସଂପାଦକ ବିନୋଦ ତୱଡେ ଉକ୍ତ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିହାରରେ ଏପ୍ରିଲ ୧୯ରୁ ଜୁନ ୧ ଯାଏଁ ୭ଟି ପର୍ଯ୍ୟାୟରେ ଭୋଟ୍ ହେବ।