ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସ୍ଥିତି ଦିନକୁ ଦିନ ଅତି ଭୟଙ୍କର ହୋଇଚାଲିଛି। ସମଗ୍ର ବିଶ୍ବରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୭୬ ଲକ୍ଷ ୧୭ ହଜାର ଅତିକ୍ରମ କରିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୪ ହଜାର ଟପିଯାଇଛି। ତେବେ ବ୍ରାଜିଲ୍‌ ସ୍ଥିତି ଅସମ୍ଭାଳ ହୋଇପଡ଼ିଲାଣି। ବ୍ରାଜିଲ୍‌ରେ କରୋନା ମୃତ୍ୟୁସଂଖ୍ୟା ୪୦ ହଜାର ପାର ହୋଇଛି ଏବଂ ସଂକ୍ରମଣ ମାମଲା ୮ ଲକ୍ଷ ଟପିଛି। ବ୍ରାଜିଲ୍‌ରେ କରୋନା ମୃତ୍ୟୁସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯ ରହିଛି। ତେବେ ସର୍ବାଧିକ କରୋନା ମୃତ୍ୟୁସଂଖ୍ୟା ଥିବା ରାଷ୍ଟ୍ର ଭାବେ ବ୍ରାଜିଲ୍‌ ଏବେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଏଥିସହ ଲାଟିନ୍‌ ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ୫୦ ହଜାରରେ ପହଞ୍ଚିଛି ଏବଂ ୭୩ ହଜାର ୬୦୦ ଲୋକ ଲାଟିନ୍‌ ଆମେରିକାରେ ପ୍ରାଣ ହାରିଲେଣି। ବ୍ରାଜିଲ୍‌ର ସାଓ ପଲୋରେ ୧୦ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ରିଓରେ ୭,୩୦୦ରୁ ଅଧିକ ମୃତ୍ୟୁ ହୋଇଛି।

Advertisment

ସେପଟେ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୪୧ ଜଣଙ୍କ କରୋନାରେ ମୃ୍ତ୍ୟୁ ହୋଇଛି। ଜନ୍‌ ହପ୍‌କିନ୍‌ସ ୟୁନିଭର୍ସିଟି ତଥ୍ୟ ଅନୁଯାୟୀ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୩ ହଜାର ୭୭୪ ରହିଛି। ତେବେ ଆମେରିକାରେ ଏବେ ବି ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେଉଛି। ପାକିସ୍ତାନରେ ଗତ ୨୪ ଘଣ୍ଟା‌ ମଧ୍ୟରେ ରେକର୍ଡ ୬,୩୯୭ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ସଂକ୍ରମଣ ମାମଲା ୧ ଲକ୍ଷ ୨୫ ହଜାର ୯୩୩ରେ ପହଞ୍ଚିଛି। ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ କରୋନା ସଂକ୍ରମିତ ହୋଇଛନ୍ତି। ସରିଫ୍‌ ଏବେ ହୋମ୍‌ କ୍ବାରାଣ୍ଟିନ୍‌ରେ ଅଛନ୍ତି ବୋଲି ପିଏମ୍‌ଏଲ୍‌-ଏନ୍‌ ପାର୍ଟି ମୁଖପାତ୍ର ସୂଚନା ଦେଇଛନ୍ତି।