ଭାରତରେ ଦୁର୍ନୀତି ବଢ଼ୁଛି

ଟ୍ରାନ୍ସପରେନ୍‌ସି ଇଣ୍ଟରନ୍ୟାସନାଲ ସୂଚକାଙ୍କରେ ୮୧ତମ ସ୍ଥାନ

ନୂଆଦିଲ୍ଲୀ: ଟ୍ରାନ୍ସପରେନ୍‌୍‌ସି ଇଣ୍ଟରନ୍ୟାସନାଲ୍‌ ଦ୍ୱାରା ପ୍ରକାଶ ପାଇଥିବା ଦୁର୍ନୀତି ସୂଚକାଙ୍କ-୨୦୧୭ ରିପୋର୍ଟରେ ଭାରତ ୮୧ତମ ସ୍ଥାନରେ ରହିଛି । ସରକାରୀସ୍ତରରେ ହେଉଥିବା ଦୁର୍ନୀତିକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ପୂର୍ବ ସ୍ଥିତି ତୁଳନାରେ ଏଥର ଭାରତର ସ୍ଥାନ ପୁଣି ତଳକୁ ଖସିଥିବାରୁ ଦୁର୍ନୀତି ନିବାରଣ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୁର୍ନୀତି ନିବାରଣ ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଯେଉଁ ପଦକ୍ଷେପ ନେଉଛନ୍ତି ସେଥିରେ ଭାରତର ସ୍କୋର୍‌ ହେଉଛି ୪୦। ପଡ଼ୋଶୀ ଦେଶ ଚୀନ୍‌ ଅପେକ୍ଷା ଭାରତ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ଜଣାପଡ଼ିଛି। ଏହି ତାଲିକାରେ ଚୀନ୍‌ ୭୭ତମ ସ୍ଥାନରେ ରହିଛି ଏବଂ ଦୁର୍ନୀତି ନିବାରଣ ଦିଗରେ ଏହାର ସ୍କୋର୍‌ ରହିଛି ୪୧। ଦୁର୍ନୀତିର ବ୍ୟାପକତା ଯୋଗୁଁ ପାକିସ୍ତାନ ୧୧୭ତମ ସ୍ଥାନରେ ରହିଛି। ୨୦୧୬ରେ ଏହି ତାଲିକାରେ ଭାରତର ସ୍ଥାନ ୭୯ ରହିଥିଲା। କେବଳ ଦୁର୍ନୀତି ନିବାରଣ ନୁହେଁ ଗଣମାଧ୍ୟମର ସ୍ୱାଧୀନତା କ୍ଷେତ୍ରରେ ମଧ୍ୟ ଭାରତ, ଫିଲିପାଇନ୍ସ ଓ ମାଳଦ୍ୱୀପ ସବୁଠୁ ପଛରେ ରହିଛନ୍ତି। ଭାରତରେ ୟୁପିଏ ସରକାର ଅମଳରେ ବ୍ୟାପକ ଦୁର୍ନୀତି ଚର୍ଚ୍ଚାର ପ୍ରସଙ୍ଗ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦୁର୍ନୀତି ହଟାଇବାକୁ ଗୁରୁତ୍ୱ ଦେଇ କ୍ଷମତାକୁ ଆସିଥିଲେ। ସରକାରଙ୍କ ୪ ବର୍ଷର ଶାସନ କାଳରେ ଏ ଦିଗରେ ଯେଭଳି ସଂସ୍କାରମୂଳକ ପଦକ୍ଷେପ ନିଆଯିବା କଥା ତାହା ହୋଇପାରି ନାହିଁ ଏବଂ ପୂର୍ବାପେକ୍ଷା ଦୁର୍ନୀତି ବଢ଼ିଥିବା ରିପୋର୍ଟରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଭାରତ, ଫିଲିପାଇନ୍‌୍‌ସ ଏବଂ ମାଳଦ୍ୱୀପରେ ସର୍ବାଧିକ ବିପଦ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ଗତ ୬ ବର୍ଷ ମଧ୍ୟରେ ଏହି ତିନି ଦେଶରେ ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରି ରଖିଥିବା ୧୫ରୁ ଅଧିକ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। କୌଣସି ସାମାଜିକ କର୍ମୀ ବା ସାମ୍ବାଦିକ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଭୟ କରୁଛନ୍ତି। ଏଭଳି ଅବସ୍ଥା ଆସିଲେ ଦେଶ ଅବନତି ଦିଗରେ ଗତି କରୁଥିବା ଜାଣିବାକୁ ହେବ ବୋଲି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ପାଟ୍ରିସିଆ ମୋରେଇରା କହିଛନ୍ତି। ଦୁର୍ନୀତି ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଏହାକୁ ନିଷ୍ଠାର ସହ ଲାଗୁ କରିବାରେ ଭାରତ ସରକାରଙ୍କ ବିଫଳତା ଯୋଗୁଁ ଏ କ୍ଷେତ୍ରରେ ଦେଶର ସ୍ଥାନ ତଳକୁ ଖସିଥିବା ଜଣାପଡ଼ିଛି। କଳାଧନ ମହଜୁଦକାରୀଙ୍କ ବିରୋଧରେ ଏନ୍‌୍‌ଡିଏ ସରକାରଙ୍କ ବିମୁଦ୍ରାକରଣ ଏକ ବଡ଼ ପଦକ୍ଷେପ ବୋଲି ସରକାର କହୁଥିଲେ ମଧ୍ୟ ଦୁର୍ନୀତିକୁ ରୋକିବାରେ ଏହା ଆଦୌ ସହାୟକ ହୋଇପାରି ନାହିଁ ବୋଲି କୁହାଯାଉଛି। ସେହିଭଳି ନ୍ୟୁଜିଲାଣ୍ଡ ଓ ଡେନ୍‌ମାର୍କ ଦୁର୍ନୀତି ନିବାରଣ ଦିଗରେ ନେଇଥିବା ପଦକ୍ଷେପ ସଫଳ ହୋଇଥିବାରୁ ଏହି ଦୁଇ ରାଷ୍ଟ୍ର ସର୍ବାଗ୍ରେ ରହିଛନ୍ତି। ସୋମାଲିଆ ସର୍ବନିମ୍ନ ସ୍କୋର ୯ ସହ ୧୮୦ତମ ସ୍ଥାନରେ ରହିଛି। ଗ୍ରାଫ୍ଟ ଓ୍ଵାଚ୍‌ଡଗ୍‌ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଦ୍ୱାରା ମୋଟ ୧୮୦ଟି ଦେଶର ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ନେଇ ଏହି ସର୍ଭେ କରାଯାଇଛି। ଯେଉଁଥିରେ ଦୁର୍ନୀତି ନିବାରଣକୁ ଶୂନରୁ ୧୦୦ ମଧ୍ୟରେ ସ୍କୋର୍‌ ଦିଆଯାଇଛି। ଶୂନ ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ହୋଇଥିବା ବେଳେ ୧୦୦ ହେଉଛି ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ। ଉଲ୍ଲେଖଯୋଗ୍ୟ , ଅନ୍ୟ ଦେଶଙ୍କ ମଧ୍ୟରେ ବାଂଲାଦେଶ ୨୮ ସ୍କୋର ସହ ୧୪୩ତମ ସ୍ଥାନରେ, ମିଆମାର ୩୦ ସ୍କୋର ସହ ୧୩୦ତମ ସ୍ଥାନରେ, ଶ୍ରୀଲଙ୍କା ୩୮ ସ୍କୋର ସହ ୯୧ତମ ସ୍ଥାନରେ, ଦକ୍ଷିଣ ଆଫ୍ରିକା ୭୧ ତମ ସ୍ଥାନରେ, ବ୍ରାଜିଲ ୯୬ ତମ ଓ ରୁଷ୍‌ ୧୩୫ ତମ ସ୍ଥାନରେ ରହିଛି। ସମ୍ପ୍ରତିି ଦୁର୍ନୀତି ସାରା ବିଶ୍ୱ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ଏଥିରେ ନିୟନ୍ତ୍ରଣ ନହୋଇ ପାରିଲେ ଏହା ଅର୍ଥନୈତିକ ଭିତ୍ତିଭୂମିକୁ ଦୁର୍ବଳ କରିଦେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର