ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ଘଟଣା: କେଜରିଓ୍ଵାଲ, ସିସୋଦିଆ, ୧୧ବିଧାୟକଙ୍କୁ କୋର୍ଟରେ ହାଜର ହେବା ପାଇଁ ସମନ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ୭ ମାସ ତଳେ ହୋଇଥିବା ଆକ୍ରମଣ ଘଟଣାରେ ଆଜି ଦିଲ୍ଲୀ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ଵାଲ,ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ୧୧ ଜଣ ବିଧାୟକଙ୍କୁ ସମନ କରିଛି। ସେମାନଙ୍କୁ ଆସନ୍ତା ଅକ୍ଟୋବର ମାସ ୨୫ ତାରିଖ ଦିନ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରକାଶ ଅଭିଯୋଗ କରିଥିଲେ ଯେ ଗତ ଫେବ୍ରୁଆରି ୧୯ ତାରିଖ ଦିନ ମଧ୍ୟ ରାତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ତାଙ୍କୁ କେତେକ ବିଧାୟକ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ବୈଠକରେ ଉପସ୍ଥିତ ସମସ୍ତ ରାଜନେତାଙ୍କ ମିଳିତ ଷଡଯନ୍ତ୍ର ଥିଲା ବୋଲି ଶ୍ରୀ ପ୍ରକାଶ ଅଭିଯୋଗ କରିଥିଲେ। ଏହି ଘଟଣାରେ ରୁଜ୍ଜୁ ମାମଲାର ଶୁଣାଣୀ କରି ଦିଲ୍ଲୀର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ସମର ବିଶାଳ କହିଛନ୍ତି ଯେ ଜଣେ ସରକାରୀ କର୍ମଚାରୀଙ୍କୁ ବେଆଇନଭାବେ ଅଟକ ରଖିବା, ମାଡ଼ ମାରିବାନେଇ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଯଥେଷ୍ଟ କାରଣ ରହିଛି।
ଏ ନେଇ ଗତମାସରେ ଆମ୍‌ ଆଦ୍‌ମୀ ପାର୍ଟିର ନେତାମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ୩ ହଜାର ପୃଷ୍ଠାର ଚାର୍ଜ ସିଟ୍‌ ଦାଖଲ କରିଛି।ଏହି ମାମଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ କେଜରିଓ୍ଵାଲ , ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିସେରାଦିଆଙ୍କ ବ୍ୟତୀତ ଅମ୍ମତୁଲ୍ଲା ଖାଁ, ପ୍ରକାଶ ଜରଓ୍ଵାଲ, ନୀତିନ ତ୍ୟାଗୀ, ଋତୁରାଜ ଗୋବିନ୍ଦ, ସଞ୍ଜୀବ ଝା, ଅଜୟ ଦତ୍ତ, ରାଜେଶ ଋଷି, ରାଜେଶ ଗୁପ୍ତା, ମଦନ ଲାଲ, ପରବୀନ କୁମାର ଓ ଦିନେଶ ମହନିଆଙ୍କ ନାମରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି।

ସମ୍ବନ୍ଧିତ ଖବର