ଦିଲ୍ଲୀରେ କରୋନା ରୋଗୀଙ୍କ ପାଇଁ ଆଶ୍ବସ୍ତି, ଚିକିତ୍ସା ଖର୍ଚ୍ଚ କମିଲା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ଦିଲ୍ଲୀରେ ଘରୋଇ ହସ୍ପିଟାଲ୍‌ମାନଙ୍କରେ ଚିକିତ୍ସା ଖର୍ଚ୍ଚ କମାଇ ଦେଇଛନ୍ତି। ନିତି ଆୟୋଗ ସଦସ୍ୟ ଡା. ଭି କେ ପୌଲ୍‌, ଦିଲ୍ଲୀ ସରକାରଙ୍କ ପ୍ରତିନିଧି ଦଳ , ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏକ କମିଟି ଏନେଇ ଏକ ନୂଆ ସୁପାରିସ କରିଛନ୍ତି। ଏହାଦ୍ବାରା ରୋଗୀଙ୍କୁ ଅନେକ ଆଶ୍ବସ୍ତି ମିଳିବ। କମିଟି ଦ୍ବାରା ଭିନ୍ନ ଚିକିତ୍ସା ପାଇଁ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ନୂଆ ସୁପାରିସ ଅନୁଯାୟୀ ଘରୋଇ ହସ୍ପିଟାଲ୍‌ମାନେ ଆଇସୋଲେସନ୍‌ ବେଡ୍‌ ପାଇଁ ଦିନକୁ ୮ ହଜାରରୁ ୧୦ ହଜାର ଚାର୍ଜ କରିବେ ଏବଂ ଭେଣ୍ଟିଲେଟର ବିନା ଆଇସିୟୁ ବେଡ୍‌ ପାଇଁ ଦିନକୁ ୧୩ ହଜାରରୁ ୧୫ ହଜାର ଏବଂ ଭେଣ୍ଟିଲେଟର ସହ ଆରଇସିୟୁ ବେଡ୍‌ ପାଇଁ ୧୫ ହଜାରରୁ ୧୮ ହଜାର ନେବେ।

ପୂର୍ବରୁ ହସ୍ପିଟାଲ୍‌ ଗୁଡ଼ିକ ଆଇସୋଲେସନ୍‌ ବେଡ୍‌ ପାଇଁ ଦିନକୁ ୨୪ ହଜାରରୁ ୨୫ ହଜାର , ବିନା ଭେଣ୍ଟିଲେଟରରେ ଆଇସିୟୁ ବେଡ୍‌ ପାଇଁ ୩୪ ହଜାରରୁ ୪୩ ହଜାର ଏବଂ ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‌ ପାଇଁ ୪୪ ହଜାରରୁ ୫୪ ହଜାର ନେଉଥିଲେ। ଚିକିତ୍ସା ଖର୍ଚ୍ଚ କମିବାଦ୍ବାରା ରୋଗୀଙ୍କ ଚିନ୍ତା କମିଯିବ। ପୂର୍ବରୁ ଜଣେ ରୋଗୀ ଘରୋଇ ହସ୍ପିଟାଲ୍‌ରେ ସପ୍ତାହକ ପାଇଁ ଆଇସୋଲେସନ୍‌ ବେଡ୍‌ରେ ରହିଲେ ତାଙ୍କୁ ୧ ଲକ୍ଷ ୬୮ ହଜାରରୁ ୧ ଲକ୍ଷ ୭୫ ହଜାର ଖର୍ଚ୍ଚ କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହା ୫୬ ହଜାରରୁ ୭୦ ହଜାର ମଧ୍ୟରେ ସୀମିତ ରହିବ।

ସମ୍ବନ୍ଧିତ ଖବର