ଦୁର୍ଗାପୁରରେ ବିମାନକୁ ଦୋହଲାଇଦେଲା କାଳବୈଶାଖୀ: ୧୫ ଆହତ, ଡିଜିସିଏ ଦେଲା ତଦନ୍ତ ଆଦେଶ

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ଚଳଚ୍ଚିତ୍ର ‘ରନ୍‌ୱେ ୩୪’ରେ ଗୋଟିଏ ଦୃଶ୍ୟରେ ଅଛି ହଠାତ୍ ପାଗ ଅତିଶୟ ଖରାପ ହୋଇଯିବା ଯୋଗୁ ଏକ ବିମାନ‌ରେ ଦୋଦୁଲ୍ୟମାନ ଅବସ୍ଥା ସୃଷ୍ଟି ହୋଇଛି। ଯାତ୍ରୀମାନେ ଆତଙ୍କିତ ହୋଇଉଠିଛନ୍ତି। କିନ୍ତୁ ଏହାର ସମର୍ଥ ପାଇଲଟ କୌଣସି ପ୍ରକାରେ ବିମାନକୁ ନିରାପଦରେ ଅବତରଣ କରାଇବାରେ ସକ୍ଷମ ହୋଇଛି। ରବିବାର ସନ୍ଧ୍ୟାରେ ଏହି ରିଲ୍‌ର ଦୃଶ୍ୟ ରିଅଲ ଲାଇଫ୍‌ରେ ଦେଖିବାକୁ ମିଳିଛି ସ୍ପାଇସ୍‌ଜେଟ୍‌ର ବିମାନ ଏସ୍‌ଜି-୯୪୫ରେ। ଦୁର୍ଗାପୁରରେ ଅବତରଣର ଅବ୍ୟବହିତ ପୂର୍ବରୁ କାଳବୈଶାଖୀ ଝଡ଼ର ସମ୍ମୁଖୀନ ହୋଇ ବିମାନଟି ହଠାତ୍ ଦୋହଲିବାକୁ ଲାଗିଥିଲା। ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ୧୨ ଜଣ ଯାତ୍ରୀ ଓ ୩ ଜଣ ବିମାନ କର୍ମଚାରୀ ବିମାନ ଭିତରେ ପିଟି ହୋଇ ବା ମୁଣ୍ଡରେ ଲଗେଜ ପଡ଼ିବା ଯୋଗୁ ଆହତ ହୋଇଛନ୍ତି।

ମୁଣ୍ଡରେ ଆଘାତ ଲାଗିଥିବା ଜନୈକ ଯାତ୍ରୀଙ୍କ କହିବା ଅନୁସାରେ ମୁମ୍ବାଇରୁ ଦୁର୍ଗାପୁର ଯାଉଥିବା ବିମାନଟି ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଥିବା କାଜି ନଜରୁଲ ଇସଲାମ ବିମାନବନ୍ଦରରେ ଅବତରଣ କଲାବେଳେ ଝଡ଼ର ସମ୍ମୁଖୀନ ହୋଇଥିଲା। ସେମାନେ ବିମାନ କର୍ମଚାରୀଙ୍କ ପରାମର୍ଶ ଅନୁସାରେ ଭଲ କରି ସିଟ୍‌ ବେଲ୍‌ଟ ବାନ୍ଧିଥିଲେ। କିନ୍ତୁ ବିମାନ ଏତେ ଜୋରରେ ଦୋହଲିଲା ଯେ ବେଲ୍‌ଟକୁଡ଼ିକ ଛିଣ୍ଡିଗଲା ଏବଂ ଅନେକ ଲୋକ ଆଗପଛ ସିଟ୍ ସହିତ ପିଟିହୋଇ ଆହତ ହେଲେ। କେତେକ ଯାତ୍ରୀ କଣ୍ଢେଇ ଭଳି ଲେଉଟି ପଡ଼ୁଥିଲେ ଓ ସିଟ୍‌ରୁ ତଳେ ପଡ଼ିଯାଉଥିଲେ। ମୁଣ୍ଡ ଉପର ଥାକରେ ରଖାଯାଇଥିବା ଲଗେଜଗୁଡ଼ିକ ଖସି ଲୋକଙ୍କ ଉପରେ ଓ ମୁଣ୍ଡରେ ପଡ଼ୁଥିଲା। ତେବେ ବୈମାନିକ କୌଣସି ପ୍ରକାରେ ବିମାନକୁ ଅବତରଣ କରାଇବାରେ ସକ୍ଷମ ହୋଇଥିଲେ। ଆହତ ୧୫ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ବିମାନଟି କାହିଁକି ଝଡ଼ର ସମ୍ମୁଖୀନ ହେଲା ଏବଂ ଆଗୁଆ ଝଡ଼ର ସୂଚନା କାହିଁକି ମିଳିପାରିଲା ନାହିଁ, ତା’ ଉପରେ ତଦନ୍ତ ନିମନ୍ତେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଆଜି ସକାଳେ ତଦନ୍ତ ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର