ପୂର୍ବ ଲଦାଖ୍‌ରେ ପଛକୁ ହଟୁଛି ଚୀନ୍‌, ବିବାଦୀୟ ନିର୍ମାଣ ଭାଙ୍ଗିଲା

ପାଙ୍ଗଙ୍ଗ୍‌ ସୋ’ର ଉତ୍ତରରୁ ସବୁ ସୈନ୍ୟ ପ୍ରତ୍ୟାହାର, ରାତାରାତି ହଟାଇଲା ଜେଟି, ହେଲିପ୍ୟାଡ୍‌

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ଚୀନ୍‌ ପଛକୁ ହଟିଛି। ‌ଗୋଟିଏ ପଟେ ଅନ୍ତର୍ଜାତୀୟ ସମୁଦାୟର ଚାପ ଏବଂ ଅନ୍ୟପଟେ ଭାରତ ଓ ଚୀନ ମଧ୍ୟରେ ଏକାଧିକ ଥର କମାଣ୍ଡରସ୍ତରୀୟ ଆଲୋଚନାର ଫଳସ୍ବରୂପ ଚୀନ୍‌ ତା’ର ମନୋଭାବ ବଦଳାଇଛି ଏବଂ ସେନା ପ୍ରତ୍ୟାହାର ତ୍ବରାନ୍ବିତ କରିଛି। ଲଦାଖର ପାଙ୍ଗଙ୍ଗ୍ ସୋ ହ୍ରଦର ଉତ୍ତରରେ ପୂର୍ବରୁ ଚୀନ୍ ନିର୍ମାଣ କରିଥିବା ଜେଟି ଏବଂ ହେଲିପ୍ୟାଡ୍‌କୁ ରାତାରାତି ଭାଙ୍ଗି ମାଟିରେ ମିଶାଇ ଦେଇଛି। ଗତବର୍ଷ ଚୀନ୍ ସେଠାରେ ନିର୍ମାଣ କରିଥିବା ସ୍ଥାୟୀ ବଙ୍କର ଏବଂ ଆଗୁଆ ପୋଷ୍ଟ୍‌ ମଧ୍ୟ ନଷ୍ଟ କରିଦେଇଛି।

ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ, ଫେବ୍ରୁଆରି ୧୦ ତାରିଖରେ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଏହା ତତ୍କାଳ କାର୍ଯ୍ୟକାରୀ ହୋଇଥିଲା। ଫିଙ୍ଗର ଅଞ୍ଚଳରେ ଉଭୟ ପକ୍ଷ ଗତବର୍ଷ ଏପ୍ରିଲ ମାସରୁ ଯେଉଁ ନିର୍ମାଣ କରିଛନ୍ତି ତାହାକୁ ନଷ୍ଟ କରାଯିବ ଏବଂ ଯବାନମାନେ ସେମାନଙ୍କ ପୂର୍ବସ୍ଥାନକୁ ଫେରି‌ଯିବେ। ଏବେ ଚୀନ୍‌ ସୈନିକ ସିରିଜାପ୍‌ଠାରେ ପର୍ଯ୍ୟାୟକ୍ରମେ ଫିଙ୍ଗର ୮ର ପୂର୍ବକୁ ଦଳ ଦଳ ହୋଇ ଫେରୁଛନ୍ତି। ସେହିଭଳି ଭାରତୀୟ ଯବାନମାନେ ପଶ୍ଚିମକୁ ଧନ ସିଂହ ଥାପା ପୋଷ୍ଟ (ଫିଙ୍ଗର୍‌ ୨ ଓ ଫିଙ୍ଗର୍‌ ୩ ମଝି)କୁ ଫେରୁଛନ୍ତି।

ଚୀନ ମଧ୍ୟରେ ବିବାଦୀୟ ଅଞ୍ଚଳରେ ମାଣ୍ଡାରିନ୍ ଭାଷାରେ ଲଗାଇଥିବା ୮୦ ମିଟର ଲମ୍ବର ଫଳକ ଏବଂ ଫିଙ୍ଗର ଓ ଫିଙ୍ଗର ୫ ମଧ୍ୟରେ ଲଗାଇଥିବା ମାନଚିତ୍ରକୁ ହଟାଇ ନେଇଛି। ଏହି ଅଞ୍ଚଳ ଚୀନ୍‌ର ବୋଲି ଯେଭଳି ଆକାଶ ମାର୍ଗରୁ ଜାଣିହେବ ସେଥିପାଇଁ ଚୀନ ଏହି ଫଳକ ଓ ମାନଚିତ୍ର ନିର୍ମାଣ କରିଥିଲା। ଚଳିତ ସପ୍ତାହ ଶେଷ ଆଡ଼କୁ ପ୍ରଥମ ପର୍ଯ୍ୟାୟ ‌ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ ହେବ। ଏହାପରେ ଫିଙ୍ଗର ୩ ଓ ଫିଙ୍ଗର ୮ ମଧ୍ୟରେ ୧୦ କିମି ବ୍ୟାପୀ ଅଞ୍ଚଳକୁ ଆଗାମୀ କିଛିବର୍ଷ ପାଇଁ ଅସ୍ଥାୟୀଭାବେ ପାଟ୍ରୋଲ ବିହୀନ ଅଞ୍ଚଳ ଘୋଷଣା କରାଯିବ।

କେବଳ ସେତିକି ନୁହେଁ, ପାଙ୍ଗଙ୍ଗ୍ ସୋ’ ହ୍ରଦର ଦକ୍ଷିଣ ତଟରେ ମଧ୍ୟ ଦୁଇ ଦେଶ ସେମାନଙ୍କ ସେନା ପ୍ରତ୍ୟାହାର କାର୍ଯ୍ୟ ଜାରି ରଖିଛନ୍ତି। ଚୁସୁଲ ସେକ୍ଟରରେ ଥିବା ଏହି ଅଞ୍ଚଳରୁ ଦୁଇ ଦେଶ ପୂର୍ବରୁ ମୁତୟନ କରିଥିବା ଯୁଦ୍ଧାସ୍ତ୍ର ଏବଂ ଟ୍ୟାଙ୍କ ଆଦିକୁ ଗତ କିଛିଦିନ ତଳେ ହଟାଇଛନ୍ତି। ସେନା ପ୍ରତ୍ୟାହାର ଏବଂ ଯୁଦ୍ଧାସ୍ତ୍ର ହଟାଯିବା କାର୍ଯ୍ୟକୁ ଦୁଇ ଦେଶ ପ୍ରତ୍ୟକ୍ଷ ଭାବେ ଏବଂ ଡ୍ରୋନ୍ ଓ ଉପଗ୍ରହ ମାମଧ୍ୟରେ ନିରୀକ୍ଷଣ ମଧ୍ୟ କରୁଛନ୍ତି। ପାଙ୍ଗଙ୍ଗ୍ ସୋ ହ୍ରଦ ନିକଟରୁ ଯବାନ ପ୍ରତ୍ୟାହାର କାର୍ଯ୍ୟ ସଂପୂର୍ଣ୍ଣ ହେବାର ୨୪ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ୧୦ ପର୍ଯ୍ୟାୟ ସାମରିକ କମାଣ୍ଡରସ୍ତରୀୟ ଆଲୋଚନା ହେବ।

ସମ୍ବନ୍ଧିତ ଖବର