ସାଂସଦମାନେ ଗାନ୍ଧିବାଦୀ ନୀତି ପାଳନ କରି ସଂସଦରେ ବିତର୍କ କରନ୍ତୁ : ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ : ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ସଂସଦ ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ଏକ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିରଲାଙ୍କ ସମେତ ସାଂସଦମାନେ ରାଷ୍ଟ୍ରପତିଙ୍କୁ ବିଦାୟ ଜଣାଇଛନ୍ତି ।

ନିଜର ବିଦାୟୀ ଅଭିଭାଷଣ ପ୍ରଦାନ କରି କୋବିନ୍ଦ କହିଛନ୍ତି ଯେ ୫ ବର୍ଷ ତଳେ ଏହି ସେଣ୍ଟ୍ରାଲ ହଲରେ ସେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ରାଷ୍ଟ୍ରପତି ଭାବେ ଦେଶର ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର । ସାଂସଦମାନେ ବିତର୍କ ଓ ବିରୋଧ କରିବାର ଅଧିକାର ପ୍ରଦର୍ଶନ କଲାବେଳେ ଗାନ୍ଧିବାଦୀ ନୀତି ପାଳନ କରନ୍ତୁ । ଏହି ଅବସରରେ ସେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଶୁକ୍ରବାରଦିନ କୋବିନ୍ଦଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଶୋକା ହୋଟେଲରେ ରାତ୍ର ଭୋଜନ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ ରବିବାର ଦିନ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ସୋମବାରଦିନ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ।

 

ସମ୍ବନ୍ଧିତ ଖବର