ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ “ମାଲବୀୟ ମିଶନ” ଆରମ୍ଭ ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ “ମାଲବୀୟ ମିଶନ” ଆରମ୍ଭ ହେବ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଏ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରାଳୟର ଅଧିକାରୀଙ୍କ ସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ନେଇ ‘ଇନଷ୍ଟିଚ୍ୟୁସନାଲ୍ ମେକାନିଜିମ ରିପୋର୍ଟ’ର ସମୀକ୍ଷା କରିଥିଲେ । ଏ ସମ୍ପର୍କରେ ଦୀର୍ଘ ସମୟ ଧରି ବୈଠକରେ ଚର୍ଚ୍ଚା ହେବା ପରେ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ “ମାଲବୀୟ ମିଶନ” ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏକବିଂଶ ଶତାବ୍ଦୀର ଭାରତର ଅନେକ ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରାଧ୍ୟାପକଙ୍କ ଦକ୍ଷତାକୁ ବିକାଶ କରିବା ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣୟନ ହୋଇଥିବା ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଓ ଶିକ୍ଷା ଦେବା ଦିଗରେ ବିବିଧ ପଦକ୍ଷେପ ନେବା ଦିଗରେ ଉଲ୍ଲେଖ କରାଯାଇଛି । ଭାରତୀୟ ମୂଲ୍ୟବୋଧ, ଭାରତୀୟ ଭାଷା, ଜ୍ଞାନ, ନୈତିକତା ଏବଂ ପରମ୍ପରା ଆଧାରରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର