ଗୁଜରାଟ, ତାମିଲନାଡ଼ୁରେ ଆକ୍ରାନ୍ତ ସଂଖ୍ୟା ୯ ହଜାର ଟପିଲାଣି

ଅହମଦାବାଦ୍: ମହାରାଷ୍ଟ୍ର ପରେ ଗୁଜରାଟରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗୁରୁବାର ସକାଳ ତଥ୍ୟ ଅନୁଯାୟୀ ଗୁଜରାଟରେ ଏବେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୯,୨୬୭ ରହିଛି। ରାଜ୍ୟରେ ୫୬୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେବଳ ବୁଧବାର ଗୁଜରାଟରେ ୩୬୪ ନୂଆ ମାମଲା ରେକର୍ଡ ହୋଇଛି ଏବଂ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କରୋନା ନିୟନ୍ତ୍ରଣ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଗୁଜରାଟର ସମସ୍ତ ୩୩ଟି ଜିଲ୍ଲା ଏବେ କରୋନା ପ୍ରଭାବିତ। ତେବେ ୧୬ଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି।

ଅହମଦାବାଦ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୬,୬୪୫ ରହିଛି ଏବଂ ୪୪୬ ଜଣଙ୍କ ମୃତ୍ୟୁ ହୋଇଛି। ଅହମଦାବାଦ୍‌ ଏସ୍‌ଭିପି ହସ୍ପିଟାଲ୍‌ରେ କୋଭିଡ୍‌ ‌ରୋଗୀଙ୍କ ପାଇଁ ଥିବା ସମସ୍ତ ୧୦୦୦ଟି ବେଡ୍‌ ଏବେ ଭର୍ତ୍ତି ହୋଇସାରିଛି। ମୁମ୍ବାଇ ପରି ଅହମଦାବାଦ୍‌ରେ ମଧ୍ୟ କୋଭିଡ୍‌ ‌ରୋଗୀଙ୍କ ପାଇଁ ବେଡ୍‌ ଅଭାବ ଦେଖା ଦେଇଛି। ତେବେ ଗୁଜରାଟରେ ମୋଟ୍‌ ୧ ଲକ୍ଷ ୨୨ ହଜାର ୨୯୭ ନମୁନା ପରୀକ୍ଷା କରାଯାଇଛି ଏବଂ ରାଜ୍ୟରେ ସମୁଦାୟ ୩,୫୬୨ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ତାମିଲନାଡ଼ୁରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ୯ ହଜାର ଟପିଛି। ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୯ହଜାର ୨୨୭ ରହିଥିବା ବେଳେ କେବଳ ରାଜଧାନୀ ଚେନ୍ନାଇରେ ତାମିଲନାଡ଼ୁର ୫୫ ପ୍ରତିଶତ ରୋଗୀ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର