ଚଣ୍ଡୀଗଡ଼: ହରିଆଣା ସରକାର ରାଜ୍ୟରେ ଥିବା ଗାନ୍ଧି ପରିବାରର ଯାବତୀୟ ସମ୍ପତ୍ତିର ତୁରନ୍ତ ଆକଳନ କରିବାକୁ ନିର୍ଦ୍ଦେଶ କରିଛନ୍ତି। ସୂଚନା ଥାଉ କି, ରାଜୀବ ଗାନ୍ଧି ଚାରିଟେବଲ୍‌ ଟ୍ରଷ୍ଟ୍‌ ସମେତ ରାଜୀବ ଗାନ୍ଧି ଫାଉଣ୍ଡେସନ୍‌ ଓ ଇନ୍ଦିରା ଗାନ୍ଧି ମେମୋରିଆଲ୍‌ ଟ୍ରଷ୍ଟ୍‌ ଆଦି ସଂଗଠନକୁ ମିଳିଥିବା ବିଦେଶୀ ଅନୁଦାନ ସମ୍ପର୍କରେ କେନ୍ଦ୍ର ସରକାର ଖୋଳତାଡ଼ ଚଳାଇଛନ୍ତି। ଏହି ମର୍ମରେ ହରିଆଣାରେ ଗାନ୍ଧି ପରିବାର ନାମରେ ରହିଥିବା ସମ୍ପତ୍ତିର ଆକଳନ କରିବାକୁ ରାଜ୍ୟ ମୁଖ୍ୟ ସଚିବ କେଶରୀ ଆନନ୍ଦ ଆରୋରା ବିଭାଗୀୟ ଅତିରିକ୍ତ ସଚିବମାନଙ୍କୁ ଚିଠି କରିଛନ୍ତି। ସୂଚନା ଥାଉ କି, ହରିଆଣାରେ ୨୦୦୪ରୁ ୨୦୧୪ ମସିହା ମଧ୍ୟରେ ଭୁପିନ୍ଦର ସିଂହ ହୁଦାଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଅମଳରେ ଗାନ୍ଧି-ନେହରୁ ପରିବାର ସହ ସଂପୃକ୍ତ ସଂଗଠନଗୁଡ଼ିକ ହରିଆଣାରେ ବିପୁଳ ସମ୍ପତ୍ତି ଆହରଣ କରିଥିବା ଅଭିଯୋଗ ଉଠିଥିଲା।