ହରିୟାଣା‌ରେ ଖଣି ମାଫିଆଙ୍କ ଜଘନ୍ୟକାଣ୍ଡ: ଡମ୍ପର ମଡ଼ାଇ ଡିଏସ୍‌ପିଙ୍କୁ ହତ୍ୟା

ଗୁରୁଗ୍ରାମ: ହରିୟାଣାରେ ଆଜି ଅତି ଜଘନ୍ୟ କା‌ଣ୍ଡ ଘଟିଛି। ଜଣେ ଡିଏସ୍‌ପିଙ୍କୁ ଟ୍ରକ୍‌ (ଡମ୍ପର) ମଡ଼ାଇ ହତ୍ୟା କରାଯାଇଛି। ତାଉରୁ ଡିଏସ୍‌ପି ସୁରେନ୍ଦ୍ର ସିଂହ ଏବଂ ତାଙ୍କ ଟିମ୍‌ ଆଜି ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ସମୟରେ ନୁହ ଜିଲ୍ଲାର ପଚଗାଓଁ ଅଞ୍ଚଳ ନିକଟସ୍ଥ ଆରାବଳୀ ପର୍ବତରେ ଚାଲିଥିବା ବେଆଇନ ଖଣି ଖନନ କ‌ାର୍ଯ୍ୟ ଉପରେ ଚଢ଼ଉ ପାଇଁ ଯାଇଥିଲେ। ବେଆଇନ ଭାବେ ପଥର ନେଉଥିବା ଡମ୍ପରକୁ ଅଟକାଇବା ପାଇଁ ସେ ନିଜର ଟିମ୍‌ ସହ ପହଞ୍ଚିଥିଲେ। ଚଢ଼ଉ ସମୟରେ ସେ ପଚଗାଓଁ ଗ୍ରାମ ନିକଟରେ ଏକ ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥି‌ଲେ। କାଗଜପତ୍ର ଯାଞ୍ଚ କରିବା ପାଇଁ ସିଂହ ଇକ୍କର ନାମକ ଜଣେ ଟ୍ରକ୍‌ ଡ୍ରାଇଭରକୁ ଅଟକିବା ପାଇଁ ସଙ୍କେତ ଦେଇଥିଲେ। କିନ୍ତୁ, ଡ୍ରାଇଭର୍‌ ଗାଡ଼ି ଅଟକାଇବା ବଦଳରେ ଗାଡ଼ିର ବେଗ ବଢ଼ାଇ ଡିଏସ୍‌ପିଙ୍କ ଉପରେ ଗାଡ଼ି ମଡ଼ାଇ ଚାଲି ଯାଇଥିଲା। ଡିଏସ୍‌ପିଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଡ୍ରାଇଭର ଖସି ପଳାଇଥିଲା। ସନ୍ଧ୍ୟାରେ ପୁଲିସ ଏନ୍‌କାଉଣ୍ଟର୍‌ରେ ଉକ୍ତ ଡ୍ରାଇଭର ଆହତ ହୋଇଛି ଏବଂ ତାକୁ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅନ୍ୟମାନଙ୍କୁ ଗିରଫ କରିବାପାଇଁ ଚଢ଼ଉ ଜାରି ରଖିଛି। ପଡ଼ୋଶୀ ଜିଲ୍ଲା ପୁଲିସର ମଧ୍ୟ ସହାୟତା ନିଆଯାଇଛି।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଡିଏସ୍‌ପି ସୁରେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି। ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଜଣେ ବି ଦୋଷୀ ଛାଡ଼ପାଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସିଂହଙ୍କ ପରିବାର ସଦସ୍ୟଙ୍କ ପାଇଁ ଖଟ୍ଟର ୧କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ତାଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି କହିଛନ୍ତି। ହରିୟାଣା ଡିଜିପି ସ‌ନ୍ଦୀପ କ୍ଷୀରୱାଡ଼ କହିଛନ୍ତି, ଉକ୍ତ ଘଟଣାରେ ଆଇପିସିର ଧାରା ୩୦୨ ଏବଂ ଅନ୍ୟ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ ଯେ ୫୯ବର୍ଷୀୟ ଡିଏସ୍‌ପି ସୁରେନ୍ଦ୍ର ସିଂହଙ୍କ ଘର ହରିୟାଣାର ହିସାରରେ। ୧୯୯୪ ମସିହାରେ ସେ ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ଭାବେ ହରିୟାଣା ପୁଲିସରେ ଯୋଗ ଦେଇଥିଲେ। ଆଉ ୪ମାସ ପରେ ସେ ଅବସର ନେଇଥା’ନ୍ତେ। ମାତ୍ର, ତା’ପୂର୍ବରୁ ଖଣି ମାଫିଆଙ୍କ ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର