ଭାରତରେ ୩ ଦିନରେ ୧୧ ହଜାର ଆକ୍ରାନ୍ତ, ସଂଖ୍ୟା ୭୦ ହଜାର ଟପିଲା

ମୋଟ ଆକ୍ରାନ୍ତ ୭୦୭୫୬, ମୃତ୍ୟୁ ୨୨୯୩, ଆରୋଗ୍ୟ ୨୨୪୫୪, ସକ୍ରିୟ ୪୬୦୦୮

ନୂଆଦିଲ୍ଲୀ: ଦେଶରେ ‌କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଆଜି ଏହି ସଂଖ୍ୟା ୭୦ ହଜାର ଅତିକ୍ରମ କରି ୭୦୭୫୬ରେ ପହଞ୍ଚିଛି। ଏଥିସହିତ ଦେଶରେ ଉକ୍ତ ମହାମାରୀ ଯୋଗୁଁ ମୃତ୍ୟୁସଂଖ୍ୟା ୨୨୯୩ ଛୁଇଁଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ଭୂତାଣୁ ଜନିତ ରୋଗରେ ୮୭ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସୁଦ୍ଧା ଦେଶରେ ୨୨,୪୫୪ ଜଣ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବାବେଳେ ୪୬୦୦୮ ଜଣଙ୍କ ଦେହରେ ଏହି ଭୂତାଣୁ ସକ୍ରିୟ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୨୩,୪୦୧ ଜଣ କରୋନା ଆକ୍ରାନ୍ତ ହୋଇଥିବା‌ବେଳେ ଏହା ପଛକୁ ଗୁଜରାଟ (୮୫୪୧) ରହିଛି। ଏହା ସତ୍ତ୍ବେ ଦେଶରେ ଆରୋଗ୍ୟ ହାରରେ ପ୍ରତିଦିନ ଉନ୍ନତି ଆସୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଆଜି ଦେଶରେ କରୋନା ଭୂତାଣୁ ଜନିତ ମୃତ୍ୟୁହାର ପ୍ରାୟ ୩.୨ ପ୍ରତିଶତକୁ ବୃଦ୍ଧି ଘଟିଛି। ଅନେକ ରାଜ୍ୟରେ ମୃତ୍ୟୁ ହାର ଏହାଠାରୁ କମ୍ ରହିଛି। ବିଶ୍ବରେ ମୃତ୍ୟୁହାର ୭-୭.୫ ପ୍ରତିଶତ ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଆରୋଗ୍ୟ ହାରରେ ମଧ୍ୟ ଉନ୍ନତି ଆସୁଛି। ଆରୋଗ୍ୟ ହାର ଆଜି ୩୧.୭ ପ୍ରତିଶତ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଗତ ୩ ଦିନ ମଧ୍ୟରେ ଦେଶରେ ୧୦ ହଜାରରୁ ଅଧିକ ନୂଆ କୋଭିଡ୍‌-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ୧୦ ତାରିଖରେ ୩୨୭୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୧ ତାରିଖରେ ୪୨୧୩ ଜଣ ଓ ୧୨ ତାରିଖରେ ୩୬୦୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ତିନି ଦିନରେ ସମୁଦାୟ ୧୧୦୯୪ ଜଣ କ ରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଳିତମାସ ୯ ତାରିଖରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯,୬୬୨ ଥିବାବେଳେ ୧୨ ତାରିଖରେ ଏହା ୭୦୭୫୬ରେ ପହଞ୍ଚିଛି।

ମୃତ୍ୟୁସଂଖ୍ୟାରେ ଭାରତ ଷଷ୍ଠ
ମେ ୧୦ ତାରିଖରେ କରୋନା ଭୂତାଣୁ ଭାରତରେ ୧୨୮ ଜଣଙ୍କର ପ୍ରାଣ ନେଇଛି। ପ୍ରତିଦିନ ୧୦୦ କିମ୍ବା ୧୦୦ରୁ ଅଧିକ ସଂକ୍ରମିତଙ୍କର ମୃତ୍ୟୁ ହେଉଥିବା ଦେଶ ତାଲିକାକୁ ବିଚାରକୁ ନେଲେ ଭାରତ ଷଷ୍ଠ ସ୍ଥାନରେ ରହିଛି। ସେହିଦିନ ଆମେରିକା ୧୬୧୪ ମୃତ୍ୟୁ ସହିତ ପ୍ରଥମ ସ୍ଥାନରେ ରହିଥିଲା। କେବଳ ସେତିକି ନୁହେଁ ଆମେରିକାରେ କ୍ରମାଗତଭାବେ ୩୭ ଦିନ ହେଲା ଆମେରିକାରେ ଦିନକୁ ୧୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି।

ପଶ୍ଚିମବଙ୍ଗରେ ମୃତ୍ୟୁହାର ସର୍ବାଧିକ
ହଜାରେରୁ ଅଧିକ କରୋନା ଭୂତାଣୁ ସଂକ୍ରମିତ ବାହାରିଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ମୃତ୍ୟୁହାର ଭିନ୍ନ ଭିନ୍ନ ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁରେ ମୃତ୍ୟୁହାର ସର୍ବନିମ୍ନ ଥିବାବେଳେ ପଶ୍ଚିମବଙ୍ଗରେ ମୃତ୍ୟୁହାର ସର୍ବାଧିକ ରହିଛି।

ସମ୍ବନ୍ଧିତ ଖବର