ନୂଆଦିଲ୍ଲୀ: ଭାରତରେ ୬୨ ଲକ୍ଷ ଡୋଜ୍ କୋଭିଡ୍-୧୯ ଟିକା ନଷ୍ଟ ହୋଇଛି ଏବଂ ସେଥି ମଧ୍ୟରୁ ଅଧା ଟିକା ନଷ୍ଟ କରିଛନ୍ତି ତିନୋଟି ରାଜ୍ୟ- ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନ। ତାଲିକାରେ ସବୁଠୁ ଉପରେ ଅଛି ମଧ୍ୟପ୍ରଦେଶ ଯେଉଁଠି ୧୬.୪୮ ଲକ୍ଷ ଟିକା ନଷ୍ଟ ହୋଇଛି। ତା’ ପଛକୁ ଅଛି ଉତ୍ତରପ୍ରଦେଶ ଯେଉଁଠି ୧୨.୬୦ ଲକ୍ଷ ଟିକା ନଷ୍ଟ ହୋଇଛି। ରାଜସ୍ଥାନରେ ନଷ୍ଟ ହୋଇଛି ୬.୮୬ ଲକ୍ଷ ଟିକା। ସାରା ଦେଶରେ ଯେତିକି ଟିକା ନଷ୍ଟ ହୋଇଛି, ଏ ତିନୋଟି ରାଜ୍ୟରେ ନଷ୍ଟ ହୋଇଥିବା ଟିକା ସଂଖ୍ୟା ତା’ର ଅଧାରୁ ଅଧିକ।
ଲୋକସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ, ଗତ ୧୧ ମାସରେ ଟିକା ନଷ୍ଟ ହେବା ସମ୍ପର୍କରେ ୨୫ଟି ରାଜ୍ୟ ତଥ୍ୟ ପ୍ରଦାନ କରିଛନ୍ତି। ଟିକା ନଷ୍ଟରେ ସବା ଉପରେ ଥିବା ଉପରୋକ୍ତ ତିନୋଟି ରାଜ୍ୟ ତଳକୁ ଅଛନ୍ତି ଯଥାକ୍ରମେ ଆସାମ (୪.୫୮ ଲକ୍ଷ), ଜମ୍ମୁ-କଶ୍ମୀର (୪.୫୭ ଲକ୍ଷ), ଆନ୍ଧ୍ରପ୍ରଦେଶ (୩.୮୦ ଲକ୍ଷ), ଗୁଜରାଟ (୨.୨୮ ଲକ୍ଷ), ତାମିଲନାଡ଼ୁ (୨.୩୮ ଲକ୍ଷ), ତ୍ରିପୁରା (୨.୧୦ ଲକ୍ଷ), ପଶ୍ଚିମବଙ୍ଗ (୧.୪ ଲକ୍ଷ) ଓ କର୍ଣ୍ଣାଟକ (୧.୨୭ ଲକ୍ଷ)। ମାଗଣା ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୧୯,୬୭୫.୪୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।