ନୂଆଦିଲ୍ଲୀ: ଦେଶରେ ଆଜି ୩.୩୭ ଲକ୍ଷ ମାମଲା ରିପୋର୍ଟ ହୋଇଥିବା ବେଳେ ତାହା ଗତକାଲି ତୁଳନାରେ ୨.୭ ପ୍ରତିଶତ କମ୍। ଦେଶରେ ମୋଟ ସଂକ୍ରମଣ ୩.୮୯ କୋଟିରେ ପହଞ୍ଚିଥିବା ବେଳେ ଆମେରିକା ତଳକୁ ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ପ୍ରଭାବିତ ଦେଶ। ଓମିକ୍ରନ୍ ପୂର୍ବରୁ ଭାରତରେ ଡେଲ୍‌ଟା ଭାରିଆଣ୍ଟ ଆତଙ୍କ ଖେଳାଇଥିଲା। ଦ୍ବିତୀୟ ଲହର ସମୟରେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଥିଲା। ଓମିକ୍ରନ୍ ଦ୍ରୁତ ସଂକ୍ରମଣଶୀଳ ହେଲେ ବି ଏଯାଏ ସେଭଳି ଉଦ୍‌ବେଜନକ ସ୍ତରରେ ପହଞ୍ଚିନାହିଁ। ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମୋଟ ସଂଖ୍ୟା ଆଜି ୧୦,୦୫୦ରେ ପହଞ୍ଚିଥିବା ବେଳେ ୨୯ଟି ରାଜ୍ୟ ନୂଆ ଷ୍ଟ୍ରେନ୍‌ ସମ୍ପର୍କରେ ରିପୋର୍ଟ କରିଛନ୍ତି।

Advertisment

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର ପରୀକ୍ଷଣ ବଢ଼ାଇବାକୁ କହିଥିଲେ ମଧ୍ୟ ଦେଶରେ ଗୋଟିଏ ଧାରଣା ସୃଷ୍ଟି ହୋଇସାରିଛି ଯେ, ସମସ୍ତଙ୍କର ଟେଷ୍ଟିଂ କରାଇବା ଦରକାର ନାହିଁ। ତେବେ ଏପର୍ଯ୍ୟନ୍ତ ଯେତିକି ଟେଷ୍ଟିଂ ଓ ଜିନୋମ୍ ସିକ୍ବେନ୍ସିଂ ହୋଇଛି ସେଥିରୁ ଜଣାପଡ଼ିଛି ଯେ, ଦେଶରେ ସକ୍ରିୟ ଥିବା ମାମଲାଗୁଡ଼ିକ ମଧ୍ୟରୁ ୯୦ ପ୍ରତିଶତ ଓମିକ୍ରନ୍ ଦ୍ବାରା ସଂକ୍ରମିତ। ଗତ ଡିସେମ୍ବର ଚତୁର୍ଥ ସପ୍ତାହରେ ଜଣାପଡ଼ିଥିଲା ଯେ, ମୋଟ ସକ୍ରିୟ ସଂକ୍ରମଣର ୫୦ ପ୍ରତିଶତ ହେଉଛି ଓମିକ୍ରନ୍ ଜନିତ। ଏବେ ତାହା ୯୦-୯୫ ପ୍ରତିଶତକୁ ଟପିଲାଣି। ତଥ୍ୟ ଅନୁଯାୟୀ ରାଜସ୍ଥାନର ୧୦୦ ପ୍ରତିଶତ, ଦିଲ୍ଲୀର ୯୦ ପ୍ରତିଶତ, ମହାରାଷ୍ଟ୍ରର ୮୦ ପ୍ରତିଶତ ଏବଂ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ୭୦ ପ୍ରତିଶତ ସଂକ୍ରମଣ ହେଉଛି ଓମିକ୍ରନ୍ ଜନିତ। ଆମେରିକୀୟ ବିଶେଷଜ୍ଞ ଡ. ଆନ୍ଥୋନି ଫୌସି କହିଛନ୍ତି ଯେ, ଓମିକ୍ରନ୍‌ର ପୁନଃସଂକ୍ରମଣ ସମ୍ଭାବନା କମ୍। କିନ୍ତୁ ହାଇବ୍ରିଡ୍‌ ବା ମିଶ୍ରିତ ପୁନଃସଂକ୍ରମଣ ହୋଇପାରେ। ଭାରତରେ ଯେଉଁମାନେ ଏବେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ପୂର୍ବରୁ ଡେଲ୍‌ଟା ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିଲେ।