ଭାରତରେ କରୋନା ୫ ଲକ୍ଷ ଛୁଇଁବ, ୨୪ ଘଣ୍ଟାରେ ୧୭ ହଜାରରୁ ଅଧିକ ସଂକ୍ରମିତ

ମୃତ୍ୟୁସଂଖ୍ୟା ୧୫୩୦୦ ପ‌ାର୍‌

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏବେ ଏହା ୫ ଲକ୍ଷ ଛୁଇଁବାକୁ ଯାଉଛି। ଗତକାଲି ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୭ ହଜାର ପାଖାପାଖି ଥିବାବେଳେ ଆଜି ପ୍ରଥମ ଥର ପାଇଁ ଏହା ୧୭ ହଜାର ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ କରୋନାରେ ୪୦୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ କରୋନାରେ ମୋଟ ମୃତ୍ୟୁସଂଖ୍ୟା ୧୫ ହଜାର ପାର୍ ହୋଇ ୧୫୩୦୧ ଛୁଇଁଛି। ତେବେ ଆଶ୍ବାସନାର ବିଷୟ ହେଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଆରୋଗ୍ୟ ହାରରେ ଦନିକୁ ଦିନ ଉନ୍ନତି ଆସୁଛି। ଆଜି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୫୮.୨୪ ପ୍ରତିଶତରେ ପହଞ୍ଚିଯାଇଛି। ଏଥିଯୋଗୁଁ ଦେଶରେ ‌ଏବେ କରୋନା ସକ୍ରିୟ ରୋଗୀଙ୍କଠାରୁ ‌ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଯାଇଛି। ସକ୍ରିୟ କରୋନା ରୋଗୀଙ୍କ ତୁଳନାରେ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୯୬,୧୭୩ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୧୩୯୪୦ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୮୫,୬୩୬ ରହିଛି। ଏଥିଯୋଗୁଁ ଦେଶରେ ‌ଆରୋଗ୍ୟ ହାର ୫୮.୨୪ ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ସରକାର କରୋନା ମୁକାବିଲା ପାଇଁ ମଧ୍ୟ ପ୍ରଚେଷ୍ଟା ଜାରି ରଖିଛନ୍ତି। ଆଇସିଏମଆର ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧ଟି ନୂଆ ଲାବ୍‌ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଫଳରେ ଦେଶରେ ସ୍ବତନ୍ତ୍ରଭାବେ କରୋନା ନିଦାନ କେନ୍ଦ୍ର ସଂଖ୍ୟା ଏବେ ୧୦୧୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୧୫,୪୪୬ଜଣଙ୍କର ନମୁନା ପରୀକ୍ଷା ହୋଇଛି। ଏଥିଯୋଗୁଁ ଆଜି ସୁଦ୍ଧା ଦେଶରେ ମୋଟ କରୋନା ପରୀକ୍ଷା ସଂଖ୍ୟା ୭୭,୭୬,୨୨୮ରେ ପହଞ୍ଚିଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

ସମ୍ବନ୍ଧିତ ଖବର