ଭାରତରେ ସଂକ୍ରମିତ ସଂଖ୍ୟା ଲକ୍ଷେ ଟପିଲା, ଆରୋଗ୍ୟ ହାର ୩୯ ପ୍ରତିଶତ ଛୁଇଁଲା

ମୃତ୍ୟୁ ହାର ୩.୧୩ ପ୍ରତିଶତ

ନୂଆଦିଲ୍ଲୀ: ଭାରତରେ ଲକ୍‌ଡାଉନ୍‌ ୪ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧ ଲକ୍ଷ ଅତିକ୍ରମ କରିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୧୩୪ ଜଣ ପ୍ରାଣ ହରାଇଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୮ ହଜାର ଟପିଯାଇଛି। ତେବେ ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ଏକ ବଡ଼ ଆଶ୍ବସ୍ତିର କାରଣ ହୋଇଛି। ଦେଶରେ ୩୯ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା ବେଳେ ବିଗତ ୨୪ ଘଣ୍ଟାରେ ୨୩୪୦ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ଏହା ସହିତ ଭାରତର ଆରୋଗ୍ୟ ହାର ଆଜି ୩୯ ପ୍ରତିଶତରେ ପହଞ୍ଚିଛି। ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଆଜି କହିଛନ୍ତି ଯେ କେବଳ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ବିଚଳିତ ହେବାର କିଛି କାରଣ ନାହିଁ। ଦେଶରେ କରୋନା ମୃତ୍ୟୁ ହାର ଏବଂ ଆରୋଗ୍ୟ ହାର ଉପରେ ଗୁରୁତ୍ବାରୋପ କରିବାକୁ ହେବ। ଭାରତ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଏ କ୍ଷେତ୍ରରେ ବହୁତ ଭଲ ସ୍ଥିତିରେ ଅଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ଏବେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ଅଛନ୍ତି ଏବଂ ଏହି ସଂଖ୍ୟା ୩୫ ହଜାର ଟପିଯାଇଛି।

ମହାରାଷ୍ଟ୍ର ପରେ ଗୁଜରାଟ (୧୧ ହଜାର ୮ ଶହ) ଏବଂ ତାମିଲନାଡ଼ୁ (୧୧ ହଜାର ୮୧୦) ରହିଛି। ମହାରାଷ୍ଟ୍ରରେ କରୋନା ମୃତ୍ୟୁହାର ସର୍ବାଧିକ ରହିଥିବା ବେଳେ ଏହା ପଛକୁ ଗୁଜରାଟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଘୋଷଣା କଲେ ସେତେବେଳେ ଦେଶରେ ୧ ହଜାରରୁ କମ୍‌ ମାମଲା ଥିଲା। ବ୍ୟାପକ କଟକଣା ଏବଂ ସତର୍କତା ସତ୍ତ୍ବେ ଦେଶବ୍ୟାପୀ ଆକ୍ରାନ୍ତ ସଂଖ୍ୟା ବଢ଼ିଚାଲିଲା। ପ୍ରଥମ ୧୦ ହଜାର ମାମଲା ପାଇଁ ୨ ମାସରୁ ଅଧିକ ସମୟ ଲାଗିଥିବା ବେଳେ ଏବେ ଦେଶରେ ୧୦ ହଜାର ମାମଲା ପାଇଁ ମାତ୍ର ୨ ଦିନ ଲାଗୁଛି। ଲକ୍‌ଡାଉନ୍‌ ନଥିଲେ ଏହା ନିୟନ୍ତ୍ରଣ ବାହାରକୁ ପଳାଇଥାନ୍ତା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର