ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ର ଓମିକ୍ରନ୍‌ ପ୍ରଜାତି ଦ୍ବାରା ସଂକ୍ରମଣ ବଢ଼ିଚାଲିଛି। ଆଜି ଗୁଜରାଟରେ ୩ଟି ଓ ମହାରାଷ୍ଟ୍ରରେ ୬ଟି ନୂଆ ମାମଲା ଚିହ୍ନଟ ହେବାସହ ଦେଶରେ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩ରେ ପହଞ୍ଚିଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ରରେ ୫୪ଟି ଓମିକ୍ରନ ମାମଲା ଠାବ ହୋଇଥିବା ବେଳେ ରାଜସ୍ଥାନରେ ୧୭ଟି ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ୨୨ଟି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୧୩, କେରଳରେ ୧୧, କର୍ଣ୍ଣାଟକରେ ୧୪, ତେଲେଙ୍ଗାନାରେ ୨୧ ଏବଂ ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ପଶ୍ଚିମବଂଗ, ତାମିଲନାଡ଼ୁରେ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି। ଓମିକ୍ରନ ମାମଲା ୨ରୁ ୩ ଦିନ ମଧ୍ୟରେ ଦୁଇ ଗୁଣ ହେଉଥିବାରୁ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାରି କରିଥିବା ନୂଆ ନିର୍ଦ୍ଦେଶାବଳି କଡ଼ାକଡ଼ି ପାଳନ କରିବାକୁ ଗୁରୁତ୍ବାରୋପ କରାଯାଇଛି। ଓମିକ୍ରନ୍‌ ରୋଗ ପ୍ରତିରୋଧକତାକୁ ସହଜରେ ଚକମା ଦେଉଥିବାରୁ ସଂକ୍ରମଣ ଆଗକୁ ଖୁବ୍‌ କ୍ଷୀପ୍ର ହେବ ବୋଲି ଆଶଙ୍କା କରାଯାଉଛି । ଏବେ ଭାରତରେ ଚିହ୍ନଟ ହେଉଥିବା ଅଧିକାଂଶ ମାମଲା ଡେଲଟା ପ୍ରଜାତିର ଥିବା ବେଳେ ଓମିକ୍ରନ୍‌ ୬ ସପ୍ତାହ ମଧ୍ୟରେ ଡେଲଟ୍‌କୁ ବିସ୍ଥାପିତ କରି ଏହାର ସ୍ଥାନ ନେଇଯିବା ଆଶଙ୍କା କରାଯାଉଛି । ତେବେ ଦ୍ବିତୀୟ ଲହର ଭଳି ଏହା ଘାତକ ହେବନାହିଁ କି ଦୈନିକ ମାମଲାରେ ମଧ୍ୟ ଦ୍ବିତୀୟ ଲହରକୁ ଏହା ଟପିବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଜାତୀୟ କୋଭିଡ୍‌-୧୯ ସୁପରମଡେଲ କମିଟି ସଦସ୍ୟ ଏମ୍‌ ବିଦ୍ୟାସାଗର କହିଛନ୍ତି ଯେ ଭାରତରେ ଓମିକ୍ରନ୍‌ ଡେଲ୍‌ଟାର ସ୍ଥାନ ନେବାପରେ ତୃତୀୟ ଲହର ଏକପ୍ରକାର ନିଶ୍ଚିତ। ଏଥିପାଇଁ କେବଳ ସତର୍କତା ଅବଲମ୍ବନ କଲେ ତୃତୀୟ ଲହରରେ କୌଣସି ଭୟାବହତା ରହିବ ନାହିଁ ବୋଲି ବିଦ୍ୟାସାଗର କହିଛନ୍ତି।

Advertisment

ଦୈନିକ ସଂକ୍ରମଣ ୫୨ ଦିନ ଧରି ୧୫ ହଜାର ତଳେ
ନୂଆଦିଲ୍ଲୀ: ଭାରତରେ ଦୈନିକ କୋଭିଡ୍‌ ସଂକ୍ରମଣ ଲଗାତାର ୫୨ ଦିନ ଧରି ୧୫ ହଜାର ତଳେ ରହିବା ଆଶ୍ବସ୍ତିର କାରଣ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୭୦୮୧ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା କମି ୮୩,୯୧୩ରେ ପହଞ୍ଚିଛି। ବିଗତ ୫୭୦ ଦିନ ମଧ୍ୟରେ ଏହା ସବୁଠାରୁ କମ୍‌ ବୋଲି ଜଣାପଡ଼ିଛି। ଦେଶରେ ଗତ ୨୪ ଘଣ୍ଟାରେ ୨୬୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ମୋଟ୍‌ ମୃତ୍ୟୁ ସଂଖ୍ୟା ୪,୭୭,୪୨୨ ହୋଇଛି। ଦେଶରେ ୮୭ ପ୍ରତିଶତ ବୟସ୍କ କୋଭିଡ ଟିକା ନେଇସାରିଛନ୍ତି। ୫୬ ପ୍ରତିଶତରୁ ଅଧିକ ଲୋକ ଉଭୟ ଡୋଜ ନେଇସାରିଥିବା ବେଳେ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଟିକାକରଣ ତ୍ବରାନ୍ବିତ ହୋଇଛି।